ଶ୍ରୀମନ୍ଦିର ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ : ରଥରେ ଚଢିଲେ ସେବାୟତଙ୍କ ପରିବାର ସଦସ୍ୟ

39

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଶାସନର କଟକଣା ସତ୍ୱେ ରଥରେ ଚଢିଲେ ସେବାୟତଙ୍କ ପରିବାର ସଦସ୍ୟ । ଏପରିକି ଶ୍ରୀମନ୍ଦିର ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ନୀଳାଦ୍ରି ବିଜେ ସମୟରେ ନିଜ ଝିଅଙ୍କୁ ରଥରେ ଚଢାଇଲେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ମନ୍ଦିର କାନ୍ଥରେ ନୋଟିସ ମାରିଥିଲେ, ପରିବାର ସଦସ୍ୟ ରଥରେ ଚଢିବା ଆମର ଅଧିକାର । କାହାରି ନାଲିଆଖି ଦେଖି ଡରିବାର ନାହିଁ । କେହି ସେବାୟତ ନିଜ ପରିବାର ଲୋକଙ୍କୁ ରଥକୁ ନେବାକୁ ଚାହୁଁଥିଲେ ତାଙ୍କସହ ଯାଇପାରିବେ । ଆଉ ଶେଷରେ ସେଇଆ ହିଁ କଲେ ।

ସବୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ନିଜ ସଂପର୍କୀୟଙ୍କୁ ଧରି ରଥକୁ ଗଲେ । ରଥରୁ ଓହ୍ଲାଇଲାବେଳେ ପ୍ରଶାସନ ସହ ଧସ୍ତାଧସ୍ତି କଲେ । ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ଜଣେ ସାଧାରଣ ଭକ୍ତ ପ୍ରଶାସନର କଟକଣାକୁ ନମାନି ରଥରେ ଚଢୁଛନ୍ତି ତାଙ୍କ ବିରୋଧରେ ତତକ୍ଷଣାତ ପଦକ୍ଷେପ ନେଉଛି ପ୍ରଶାସନ । ସଙ୍ଗେସଙ୍ଗେ ବାନ୍ଧି ହାଜତକୁ ପଠାଇ ଦେଉଛି । ହେଲେ ସେବାୟତଙ୍କ କଥା ଆସିଲା ବେଳକୁ ପ୍ରଶାସନ ଚୁପ, କାର୍ଯ୍ୟାନୁଷ୍ଠାନରେ ବିଳମ୍ବ । କିଭଳି ଦାମୋଦର ମହାସୁଆର ନିଜ ଝିିଅଙ୍କୁ ଧରି ରଥକୁ ଗଲେ ଓ ଆସିଲେ ସବୁ ଗଣମାଧ୍ୟମରେ ଖବର ପ୍ରସାରିତ ହେଲା । ହେଲେ ଘଟଣାକୁ ଅନେକ ସମୟ ବିତିଯାଇଥିଲେ ବି ପଦକ୍ଷେପ ଶୂନ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି କଣ ଦୁଇ ବ୍ୟକ୍ତିଙ୍କ ପାଇଁ ଦୁଇଟି ନିୟମ । ଗୁଜରାଟର ଜଣେ ଭକ୍ତ ରଥରେ ଚଢି ଗିରଫ ହୋଇଥିବାବେଳେ ସେବାୟତଙ୍କ କ୍ଷେତ୍ରରେ କାହିଁକି ବଦଳିଗଲା ନିୟମ ।