ରାଜ୍ୟରେ ବଢୁଛି ଶୀତ ! ୭ ଡିଗ୍ରୀ ତଳକୁ ଖସିଲା ଫୁଲବାଣୀର ତାପମାତ୍ରା : ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସରକାର ଦେଲେ ନିର୍ଦ୍ଦେଶ

ଏବେ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ପାରଦ ଗୋଟିଏ ଡିଗ୍ରି ଲେଖାଏ କମୁଛି

101

କନକ ବ୍ୟୁରୋ : ମାଡ଼ି ଆସୁଛି ଜାଡ଼/ ଉତ୍ତର ଓଡ଼ିଶା ପରେ ଏବେ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ପାରଦ ଗୋଟିଏ ଡିଗ୍ରି ଲେଖାଏ କମୁଛି। ଫୁଲବାଣୀରେ ରାତିର ତାପମାତ୍ରା ଲଗାତାର ଭାବେ ହ୍ରାସ ପାଉଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀର ତାପମାତ୍ରା ଦୁଇ ଡିଗ୍ରି ହ୍ରାସ ପାଇଛି। ଗତକାଲି ରାତିରେ ଏଠାରେ ୭ ଡିଗ୍ରି ରେକର୍ଡ କରାଯାଇଛି। କନ୍ଧମାଳରେ ବି ପାରଦ ୮.୫ ଡିଗ୍ରିରେ ପହଞ୍ଚିଛି। ଭୋର ସମୟରେ ପ୍ରବଳ ଥଣ୍ଡା ସହ କୁହୁଡ଼ି ଜାରି ରହିଥିବାରୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

 

ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ପାରଦ ହାରାହାରିଠାରୁ ୩ ଡିଗ୍ରି କମ୍ ରହିଛି। ଏହି ସମୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୧.୬ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ଦେଖିବାକୁ ମିଳୁଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ପାରଦ ୩.୧ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହୁଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ହାରାହାରିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪ ଡିଗ୍ରି ବି ହ୍ରାସ ପାଇବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳରେ କୁହୁଡ଼ି ପଡ଼ିବ। ରାଜ୍ୟ ବାକି ଜିଲ୍ଲାଗୁଡ଼ିକରେ ସେଭଳି ପରିବର୍ତନ ହେବ ନାହିଁ।

 

ସମ୍ଭାବ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଜିଲ୍ଲାପାଳମାନେ ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ତାହାକୁ ଦୃଷ୍ଟିରେ ରଖି ଥଣ୍ଡା ସମୟରେ ଲୋକେ କ’ଣ କରିବେ, କ’ଣ ନ କରିବେ ସେନେଇ ସଚେତନତା କରିବାକୁ କୁହାଯାଇଛି। ଯେଉଁ ଲୋକଙ୍କର ରହିବାକୁ ଘର ନାହିଁ ସେମାନଙ୍କ ପାଇଁ ରାତି ସମୟରେ ସ୍କୁଲ ନ ହେଲେ ସର୍ବସାଧାରଣ କୋଠାରେ ବ୍ୟବସ୍ଥା କରାଯାଉ। ସହରାଞ୍ଚଳରେ ଥିବା ରାତ୍ରିଆଶ୍ରୟ ସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ କରି ବାସଗୃହହୀନ ଓ ପର୍ଯ୍ୟଟକଙ୍କ ରହଣି ପାଇଁ ସେଠାରେ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ମଣିଷ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଗଣମାଧ୍ୟମରେ ପରାମର୍ଶ ଜାରି କରିବାକୁ ନିର୍ଦେଶ ଦିଆଯାଇଛି।