ନୂଆରୂପରେ ଖେଳାଯିବ କ୍ରିକେଟ ବିଶ୍ୱକପ ! ଆସିଲା ମ୍ୟାଚ୍ ସୂଚୀ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ !

251

କନକ ବ୍ୟୁରୋ : ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲ୍ସରେ ଖେଳାଯିବ ପୁରୁଷ ବିଶ୍ୱକପ କ୍ରିକେଟ । ଏଥିପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଇଂଲଣ୍ଡ । ମେ’ ୩୦ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ ବିଶ୍ୱକପ । ୨୦୧୯ ବିଶ୍ୱକପରେ ୧୦ଟି ଦଳ ଭାଗ ନେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଟିମ୍ ଅନ୍ୟ ୯ଟି ଟିମ୍ ବିରୋଧରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ବିଶ୍ୱକପରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ଶ୍ରେଷ୍ଠ ୪ଟି ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଅଥାର୍ତ ପ୍ରତ୍ୟେକ ମ୍ୟାଚ୍ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ ।

ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଭେଟିବ ଦକ୍ଷିଣ ଆଫ୍ରିକାକୁ । ସେହିଭଳି ଭାରତ ମଧ୍ୟ ୫ ଜୁନରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଭାରତ ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚ୍ ଖେଳିବ । ଏଥିରେ ଭଲ ପ୍ରଦର୍ଶନ ସହ ଶ୍ରେଷ୍ଠ ୪ରେ ରହିଲେ ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ । ଜୁନ୍ ୯ରେ ଅଷ୍ଟ୍ରେଲିଆ ଓ ୧୩ରେ ନ୍ୟୁଜିଲାଣ୍ଡକୁ ଭାରତୀୟ ଟିମ୍ ଭେଟିବ । ସେହିଭଳି ଜୁନ ୧୬ରେ ବିଶ୍ୱକପରେ ହାଇଭୋଲଟେଜ ମ୍ୟାଚ୍ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । କାରଣ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ଦଳ ଭାରତ ଓ ପାକିସ୍ତାନ ।

ଜୁନ ୨୨ରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବାକୁ ଯାଉଥିବା ବେଳେ ୨୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଷଷ୍ଠ ମ୍ୟାଚ୍ ଖେଳିବ ଭାରତ । ଜୁନ ୩୦ରେ ଆୟୋଜକ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଜୁଲାଇ ୨ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଦେଖିବାକୁ ପାଇବେ ଦର୍ଶକ । ସେହିଭଳି ଜୁଲାଇ ୬ରେ ନିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ଜୁଲାଇ ୯ ଓ ୧୧ ତାରିଖରେ ଯଥାକ୍ରମେ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ଜୁଲାଇ ୧୪ରେ ଲର୍ଡସରେ ଖେଳାଯିବ ଫାଇନାଲ ମ୍ୟାଚ୍ ।