ଆସୁଛି ବନ୍ୟା: ହୀରାକୁଦ ଗେଟ୍ ଖୋଲିନି, କିନ୍ତୁ ଫୁଲିଲାଣି ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ, ୩୬ବର୍ଷର ରେକର୍ଡ ଭାଙ୍ଗିଲା ପଶ୍ଚିମ ଓଡ଼ିଶା

49

କନକ ବ୍ୟୁରୋ: ଚଳିତ ଲଘୁଚାପ ଜନିତ ବର୍ଷା ରେକର୍ଡ ଭାଙ୍ଗିଛି । ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବୁର୍ଲାସ୍ଥିତ ମାଷ୍ଟର୍ସ କଂଟ୍ରୋଲ ରୁମରେ ରବିବାର ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା ଏହା ପୂର୍ବରୁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ପୂର୍ବରୁ ୧୯୯୨ ଅଗଷ୍ଟ ୧୯ରେ ୫୮୧ ଦଶମିକ ୯ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଏସଆରସିଙ୍କ ସୂଚନା ଅନୁଯାୟୀ ଜୁଲାଇ ମାସରେ ସାଧାରଣତଃ ଯେତିକି ପରିମାଣରେ ବର୍ଷା ହେବା କଥା ତାଠୁ ଅଧିକ ହୋଇଛି । ୫୭ ଦଶମିକ୍ ୬ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ।

ଗତକାଲି ସଂଧ୍ୟାରେ ହୀରାକୁଦ୍ ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୪ ହଜାର କ୍ୟୁସେକ୍ ବର୍ଷା ଜଳ ପ୍ରବେଶ କରୁଥିବାବେଳେ ପାୱାର ଚାନେଲ ଓ କେନାଲ ଗୁଡିକରେ ୫ହଜାର ୩ଶହ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଗତକାଲି ସନ୍ଧ୍ୟାରେ ହୀରାକୁଦ ଡ୍ୟାମର ଜଳସ୍ତର ୬୧୩ ଦଶମିକ ପାଂଚ ଶୂନ ଫୁଟ୍ ଥିଲା । ଏହା ଆହୁରି ବଢ଼ିବ ବୋଲି ହୀରାକୁଦ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ସେ କହିଛନ୍ତି ଜୁଲାଇ ୨୪ରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଂଟା ଯାଏଁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେପଟେ, ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଶାଖାନଦୀର ଜଳସ୍ତର ବଢୁଛି । ଫଳରେ ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁରରେ ୨୪ଘଂଟିଆ କଂଟ୍ରୋଲ ରୁମ୍ ଖୋଲି ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣପଦ ସେଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତା ଉପରେ ନଜର ରଖିବାକୁ ଆରଟିଓ ଓ ଏମଭିଆଇଙ୍କୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ ଏବଂ କେନାଲ ଉପରେ ସତର୍କ ଦୃଷ୍ଟି ରଖିବାକୁ ମୋବାଇଲ୍ ଟିମ୍ କୁ ନିର୍ଦ୍ଦେଶ ଦିଆ ଯାଇଛି । ଡଙ୍ଗା, ଜେନେରେଟର, ଲାଇଟ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତଳିଆ ଅଂଚଳରେ ପାଣି ନିଷ୍କାସନ ଏବଂ ଜରୁରୀକାଳୀନ ସ୍ଥିତିରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ତଳିଆ ଅଂଚଳର ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ପାଇଁ ନିିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଣ୍ଡୁଳିରେ ପହଁଚିପାରେ ବନ୍ୟା ଜଳ । ମୁଣ୍ଡୁଳୀରେ ୭ ଦଶମିକ ୫ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇପାରେ ।