ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣରେ ଆଜିଠାରୁ ଅଧିକ ବର୍ଷିବ, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଚେତାବନୀ । 

41

କନକ ବ୍ୟୁରୋ : ଆଜିଠାରୁ ବଢିବ ବର୍ଷାର ପରିମାଣ । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓ ଦକ୍ଷିଣରେ  ଅଧିକ ବର୍ଷା ହେବ । ଆଭ୍ୟନ୍ତରୀଣ, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡିଶାରେ ବର୍ଷାର ପରିମାଣ ବଢିବ । କାଲିଠୁ ବର୍ଷାର ପରିମାଣ ବଢିବ । ଉପକୂଳ ଓ ଏହାର ସଂଲଗ୍ନ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବ । ବର୍ତ୍ତମାନ ପଶ୍ଚିମ ବାୟୁ ପ୍ରବହ ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡିଶାରେ କମ୍ ବର୍ଷା ହୋଇପାରେ । ତେବେ ୧୩ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହୋଇ ୧୩ ତାରିଖ ଆଡକୁ ବର୍ଷାର ପରିଣାମ ବୃଦ୍ଧି ହେବ ।

ସେପଟେ କୃଷି ବିଜ୍ଞାନୀମାନେ ଭବିଷ୍ୟବାଣୀ କଲେଣି, ଦୁର୍ବଳ ମୌସୁମୀ ଚାଷକୁ ଏବର୍ଷ ବିପର୍ୟ୍ୟୟ ମୁହଁକୁ ଠେଲିଦେଇପାରେ । ଓଡ଼ିଶାର କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ଯାଇ ସତର୍କ କରାଇଛି ଯେ ଢିପ ଜମିରେ ଧାନ ଚାଷ କରିବାରୁ ଚାଷୀ କ୍ଷାନ୍ତ ରୁହନ୍ତୁ । ଆଉ ମଧ୍ୟମ କିସମ ଜମିରେ କମ୍‌ ଦିନିଆ ଧାନ ଚାଷ ନ କରାଯିବା ଦରକାର । ଉଲ୍ଲେଖଯୋଗ୍ୟ, ଜୁଲାଇ ୫ରୁ ୯ ଯାଏ ବଡ଼ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ । ଏକଥା ବି ଡ଼ରାଇଥିଲେ ଯେ ୬ରୁ ପ୍ରବଳ ବର୍ଷା ହେବ ଓ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ହୋଇପାରେ । ହେଲେ ଏସବୁ ପୂର୍ବାନୁମାନ ଫେଲ୍‌ ମାରିଛି । ପାଣିପାଗ ବିଜ୍ଞାନୀ ବର୍ତମାନ ସ୍ଥିତିକୁ ଦେଖି ପୁଣି ସୂଚାଇଛନ୍ତି, ଓ଼ଡ଼ିଶାରେ ଭାରି ବର୍ଷା ସମ୍ଭାବନା କ୍ଷୀଣ । ଉପକୂଳ ଓଡ଼ିଶାରେ ୧୪ ତାରିଖ ପର୍ୟ୍ୟନ୍ତ ବଡ଼ ବର୍ଷା ସମ୍ଭାବନା ନାହିଁ । ଜୁଲାଇ ୮ରୁ ଯେଉଁ ବର୍ଷା ଆରମ୍ଭ ହେବ, ତାହା ବି ରାଜ୍ୟରେ ବେଶ୍‌ ପ୍ରଭାବୀ ହେବା ଭଳି ମନେ ହେଉନାହିଁ ।