କୋରାପୁଟର ଶ୍ରୀୟାକୁ କାହିଁକି ଭେଟି ପାରିଲେନି ସ୍ୱାସ୍ଥ୍ୟମନ୍ତ୍ରୀ ? କନକନ୍ୟୁଜ୍ ୱେବ୍ ଏକ୍ସକ୍ଲୁସିଭ୍

42

ଶ୍ରୀୟା । କୋରାପୁଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁ । ଗତ ୧୧ ତାରିଖରେ କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମ୍ଭାରୀଗୁଡା ଜଙ୍ଗଲରୁ ଜଣେ ମୃତ ମହିଳାଙ୍କ ନିକଟରୁ ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଥିଲା । ଆଉ ଗୁରୁତର ଅବସ୍ଥାରେ ଆସି ଚିକିତ୍ସିତ ହେଉଥିଲା କଟକ ବଡ ମେଡିକାଲରେ । ଶେଷରେ ସୁସ୍ଥ ହୋଇ କୋରାପୁଟ ଫେରିଯିବା ପାଇଁ ସୋମବାର ଡିସଚାର୍ଜ ହେଲେ । ତେବେ ବଡ କଥା ହେଉଛି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରତିଶ୍ରୁତି ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀୟାକୁ ଭେଟିବାକୁ ମନ ବଳାଇଛନ୍ତି । ହେଲେ ଡିସଚାର୍ଜ ହୋଇ ସେ କୋରାପୁଟ ଫେରିଗଲା, ହେଲେ ମୁଖ୍ୟମନ୍ତ୍ରୀ ଭେଟିଲେ ନାହିଁ ।

ମୁଖ୍ୟମନ୍ତ୍ରୀ ଭେଟିବାକୁ ସମୟ ଦେଇପାରିଲେନି, ଠିକ୍ ଅଛି । ହୁଏତ ବ୍ୟସ୍ତତା ଭିତରେ ମୁଖ୍ୟମନ୍ତ୍ରୀ ସମୟ ଦେଇପାରିଲେନି । ତେବେ ବିଡମ୍ବନାର କଥା ହେଉଛି, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଆଚରଣକୁ ନେଇ । ସୂଚନା ଅନୁସାରେ, ଶ୍ରୀୟାକୁ ନିଜ ବାସଭବନରେ ଭେଟିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ । ଆଉ ଶ୍ରୀୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଆଉ ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରେଷ୍ଟ ନେଉଥିଲେ । ଖାସ୍ ଏହି କାରଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିପାରିଲେ ନାହିଁ ଶିଶୁ ସୁରକ୍ଷା ଅଧିକାରୀ । ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେଠାରେ ଉପସ୍ଥିତ ଥିବା କିଛି କର୍ମଚାରୀ ଅନୌପଚାରିକ ଭାବରେ କହିଥିଲେ ମନ୍ତ୍ରୀ ଶୋଇଛନ୍ତି, ଆପଣ ଚାହିଁଲେ ଅପେକ୍ଷା କରିପାରିବେ । ତେବେ ଏନେଇ କ୍ୟାମେରା କେହି କିଛି କହିନଥିଲେ  ।

ପ୍ରଶ୍ନ ଉଠୁଛି, ପ୍ରତାପ ଜେନା ଯଦି ଭେଟିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତେବେ କାହିଁକି ଭେଟିଲେନି? ମନ୍ତ୍ରୀ ମହୋଦୟ ଯଦି ଆରାମ କରୁଥିଲେ ତେବେ ଶ୍ରୀୟାକୁ ଭେଟିବାକୁ କଣ ଆସିପାରିନଥାନ୍ତେ? ଏଭଳି ଅନେକ ଦିଗକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଥିବା ବେଳେ ଅଧିକାରୀ କହିଛନ୍ତି, ସମୟ ସଠିକ ରହିଲାନି । ଯେହେତୁ ଦୁର ଯାଗାକୁ ଅଛି ଏବଂ ଘାଟି ରାସ୍ତା ତେଣୁ ଆଉ ଅପେକ୍ଷା ନକରି ଫେରିଯାଉଛି । ବର୍ଷା ହେଉଥିବାରୁ ଆଉ ଅପେକ୍ଷା କରିହେଉନାହିଁ । ଏଥିଲା ସନ୍ଧ୍ୟା ସମୟର କଥା । ହେଲେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କର ପ୍ରତିକ୍ରିୟା ଆମକୁ ମିଳିପାରିନାହିଁ ।

ଏଭଳି ଗୋଟିଏ ଘଟଣା ପ୍ରକୃତରେ ନେତାଙ୍କ ଚରିତ୍ରକୁ ସାମ୍ନାକୁ ଆଣିଥିବା କୁହାଯାଉଛି । ଏସସିବିରେ ଠିଆ ହୋଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀୟାକୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ମୁଖ୍ୟମନ୍ତ୍ରୀ ଭେଟିବାକୁ ସମୟ ମିଳିଲାନି । ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଭେଟିବାକୁ ଆଗ୍ରହ ପ୍ରକାଶ କଲେ, କିନ୍ତୁ ଆରାମ କରୁଥିବାରୁ ଭେଟିପାରିଲେନି । ତେବେ ଏସବୁକୁ ନେଇ ପ୍ରକୃତରେ କଣ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିଲା କି?

ସାହାରା ଖୋଜୁଥିବା ଏହି କୁନିଝିଅ ଶ୍ରୀୟା କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇଛି । ୧୧ ମାସର ଏହି ଶିଶୁ କୋରାପୁଟର ସ୍ୱତନ୍ତ୍ର ପୈାଷ୍ୟ ସନ୍ତାନ ଗୃହରେ ରହିବ । ସରକାର ତାର ସଂପୁର୍ଣ୍ଣ ଦାୟିତ୍ୱ ନେବେ । ଏଥିପାଇଁ ଆମେ ସରକାରଙ୍କୁ ସାଧୁବାଦ ଦେଉଛୁ । ହେଲେ ଆଜି ଯେଉଁଭଳି ଘଟଣାମାନ ଘଟିଲା ତାହା କେଉଁଠି ନା କେଉଁଠି ଆମ ମାନସିକତା ଉପରେ ପ୍ରଶ୍ନବାଚୀ ଲଗାଉଛି । ଗତ କିଛି ଦିନ ତଳେ ଦିଲ୍ଲୀ ଯାଇ ଯୋଡା ମୁଣ୍ଡ ଶିଶୁଙ୍କୁ ଭେଟିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏପରିକି କିଭଳି ତାଙ୍କର ସଠିକ ଚିକିତ୍ସା ବ୍ୟବସ୍ଥା କରାଯାଇପାରିବ, ତା ଉପରେ ଜୋର ଦେଇଥିଲେ । ରାଜ୍ୟ ସରକାର ୧ କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କଲେ । ତେବେ ଶ୍ରୀୟାଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମକୁ କେଉଁଭଳି ବିଚାର କରାଯିବ?