ବିବାହ ବନ୍ଧନରେ ବାନ୍ଧି ହେଲେ ହାର୍ଦ୍ଦିକ ପଟେଲ! ପିଲା ବେଳର ବନ୍ଧୁ କିଂଜଲଙ୍କୁ ବାଛିଲେ ଜୀବନସାଥୀ

220

ଚର୍ଚ୍ଚିତ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ହାତକୁ ଦୁଇ ହାତ ହୋଇଛନ୍ତି । ଛୋଟବେଳର ବନ୍ଧୁ କିଂଜଲ ପାରିଖଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ହାର୍ଦ୍ଦିକ । ରବିବାର ଗୁଜରାଟର ସୁରେନ୍ଦ୍ରନଗର ଠାରେ ଉଭୟ ଅଗ୍ନିକୁ ସାକ୍ଷୀ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି । ପାଖାପାଖି ୧୦୦ ଜଣ ସର୍ମ୍ପକୀୟଙ୍କ ଉପସ୍ଥିତିରେ ଏହି ବିବାହ ସର୍ମ୍ପନ୍ନ ହୋଇଛି ।

ବେଶ ନିରାଡମ୍ବର ଭାବେ ହାର୍ଦ୍ଦିକ ବିବାହ କରିଛନ୍ତି । ବିନା ବ୍ୟାଣ୍ଡ ବାଜା ଓ ଆତସବାଜିରେ ହାର୍ଦ୍ଦିକ ବରବେଶରେ କନ୍ୟା ଘରେ ପହଞ୍ଚିଥିଲେ । ଧଳା ସେରୱାନିରେ ହାର୍ଦ୍ଦିକ ବେଶ ସୁନ୍ଦର ଦେଖାଯାଉଥିବା ବେଳେ କିଂଜଲ ମଧ୍ୟ ଲାଲ ଓ ସବୁଜ ରଙ୍ଗର ଲେହେଙ୍ଗାରେ ଝଟକୁଥିଲେ ।

କିଂଜଲ ପାରିଖ ଓ ହାର୍ଦ୍ଦିକ ପଟେଲ ପରସ୍ପରକୁ ଦୀର୍ଘ ଦିନ ଧରି ଜାଣିଥିଲେ । ତେବେ ଉଭୟଙ୍କ ସର୍ମ୍ପର୍କ ବିଷୟରେ ପରିବାର ଲୋକେ ୩ ବର୍ଷ ପୂର୍ବରୁ ଜାଣିଥିଲେ । ଆଉ ଯେତେବେଳେ ହାର୍ଦ୍ଦିକ ଜେଲରେ ଥିଲେ ସେତେବେଳେ ପରିବାର ଲୋଙ୍କ ଉଭୟଙ୍କ ନିର୍ବନ୍ଧ କରିବାକୁ ଘୋଷଣା କରିଥିଲେ ।

କିଂଜଲ ଓ ହାର୍ଦ୍ଦିକ ପରସ୍ପରକୁ ଛୋଟ ବେଳୁ ଜାଣିଛନ୍ତି । ଖାସକଥା ହେଲା, ହାର୍ଦ୍ଦିକଙ୍କ ଭଉଣୀ ମୋନିକା ପଟେଲଙ୍କ ସହ ସାଙ୍ଗ ହୋଇ କିଂଜଲ ପାଠ ପଢୁଥିଲେ । ଏପରିକି ହାର୍ଦ୍ଦିକଙ୍କ ଘରକୁ ପାଠ ପଢିବାକୁ ଆସୁଥିଲେ କିଂଜଲ । ଆଉ ଏହା ଭିତରେ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ । ଆଉ ଏବେ ଉଭୟ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି ।

ହାର୍ଦ୍ଦିକଙ୍କ ପତ୍ନୀ କିଂଜଲ ବିଏ ଓ ଏମଏ ଶିକ୍ଷା ସମାପ୍ତ କରିଥିବା ବେଳେ ଏବେ ଏଲଏଲବି ପାଠ ପଢୁଛନ୍ତି । ତେବେ ନୂଆ ନୂଆ ଜାଗା ବୁଲିବାକୁ ପସନ୍ଦ କରୁଥିବା କିଂଜଲଙ୍କୁ ନେଇ ହାର୍ଦ୍ଦିକ କହିଛନ୍ତି, ତାଙ୍କ ପାଖରେ ସମୟ କମ ହେଉଥିବାରୁ ସେ କିଂଜଲଙ୍କୁ କେଉଁଆଡେ ବୁଲାଇ ନେଇ ପାରନ୍ତି ନାହିଁ । କିନ୍ତୁ ଲୋକସଭା ନିର୍ବାଚନ ପରେ କିଂଜଲଙ୍କୁ ଟ୍ରିପରେ ନେଇଯିବାକୁ ପ୍ରତିଶୃତି ଦେଇଛନ୍ତି ହାର୍ଦ୍ଦିକ ।