ମାଲିକକୁ କୋଟିପତି ବନାଇଲା ବିଲେଇ ! ପାଳିତ ପଶୁ ପାଇଁ କିଛି ଏହିଭଳି ଭାବେ କୋଟି କୋଟି ଟଙ୍କା କମାଉଛନ୍ତି ମାଲିକ ।

61

ମାଲିକକୁ ରାତା ରାତି କୋଟିପତି ବନାଇଲା ବିଲେଇ । ସାଧାରଣତଃ ଲୋକମାନେ ଘରେ କୁକୁର ପାଳିବାକୁ ବେଶ ପସନ୍ଦ କରିଥାନ୍ତି । କାରଣ କୁକୁର ମାଲିକର ବିଭିନ୍ନ ପ୍ରକାର ଉପକାର କରିଥାଏ । ଠିକ୍ ସେହିଭଳି କିଛି କିଛି ଲୋକ ଘରେ ବିଲେଇ ମଧ୍ୟ ପାଳିଥାନ୍ତି କିନ୍ତୁ କୁକୁର ଭଳି ବିଲେଇ ମଣିଷର ବେଶି ଉପକାରରେ ଆସୁନଥିବାରୁ ବିଲେଇକୁ ଲୋକମାନେ ପାଳିବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏବେ ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକୃତ ଘଟଣାଟି ହେଉଛି ଆମେରିକାର ଟବାଥା ବଂଡସିନ ନାମକ ଜଣେ ଯୁବକ କୌଣସି ଏକ ହୋଟେଲରେ ୱେଟରର କାମ କରନ୍ତି । ସାଧାରଣ ଲୋକଙ୍କ ପରି ଟବାଥା ମଧ୍ୟ ଘରର ଭରଣ ପୋଷଣ ପାଇଁ ଦିନ ରାତି କାମ କରିବା ସହ କିଛି କିଛି ପଇସା ସଂଞ୍ଚୟ କରୁଥିଲେ । କିନ୍ତୁ ଗୋଟେ ଦିନ ସେ ଏବଂ ତାଙ୍କ ଭାଇ ଘରେ ପାଳିଥିବା ବିଲେଇର ଏକ ଫଟୋ ସୋସିଆଲ ସାଇଟ ରେଡଇଟରେ ପୋଷ୍ଟ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବିଲେଇ ଫଟୋରେ ଢେର୍ ସାରା ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଥିଲା । ଏହାସହିତ ବିଲେଇ ଫଟୋକୁ ବହୁତ ଲୋକ ସେୟାର ମଧ୍ୟ କରିଥିଲେ । କିଛି ଘଣ୍ଟା ମଧ୍ୟରେ ପାଖାପାଖି ୩୦ ହଜାରରୁ ଅଧିକ ଲୋକ ଫଟୋକୁ ଲାଇକ୍ ଏବଂ ସେୟାର କରିଥିଲେ । ସୋସିଆଲ ସାଇଟରେ ପୋଷ୍ଟ ହୋଇଥିବା ଫଟୋଟି ଏତେ ସୁନ୍ଦର ଥିଲା କି ସେହି ଫଟୋକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଯୁକ୍ତତର୍କ ଲାଗିଯାଇଥିଲା । କିଛି ଲୋକ ଏହି ଫଟୋ ଫଟୋସପରେ ଏଡିଟ ହୋଇଥିବା କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଏଡିଟ ହୋଇନଥିବା କହୁଥିଲେ । ଏତେ ସାରା ଲାଇକ, କମେଣ୍ଟ ଏବଂ ସେୟାର ଦେଖି ଟବାଥା ଏହି ବିଲେଇର ଏକ ଭିଡିଓ ୟୁଟୁବରେ ପୋଷ୍ଟ କରିଦେଇଥିଲେ । ମାତ୍ର ୨୪ ଘଣ୍ଟା ମଧ୍ୟରେ ୟୁଟୁବରେ ପୋଷ୍ଟ ହୋଇଥିବା ଭିଡିଓକୁ ପାଖାପାଖି ୧୫ ଲକ୍ଷ ଲୋକ ଦେଖିଥିଲେ । ଧିରେ ଧିରେ ଏହି ଭିଡିଓ ଏତେ ପପୁଲାର ହୋଇଯାଇଥିଲାକି ବିଲେଇର ମାଲିକ ଟବାଥା ୟୁଟୁବରେ ଏକ ଚ୍ୟାନେଲ ଖୋଲି ଅଧିକ ଭିଡିଓ ପୋଷ୍ଟ କରିଥିଲେ ଏବଂ କୋଟି କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲେ ।