ବିସର୍ଜନ ପରେ ଗଣେଶ ପ୍ରତିମାରୁ ଉଠିବ ଗଛ । ପରିବେଶ ପ୍ରଦୂଷଣକୁ ରୋକିବାକୁ ମୂର୍ତ୍ତି କାରିଗର ଗଢୁଛନ୍ତି ‘ବୃକ୍ଷ ଗଣେଶ’

82

ଏଣିକି ମୂର୍ତ୍ତି ବିସର୍ଜନ ପରେ ଆଉ ପ୍ରଦୂଷଣ ହେବନି ପରିବେଶ । ବରଂ ମୂର୍ତ୍ତି ବିସର୍ଜନ ପରେ ଏହି ମାଟିରୁ ନୂଆ ଗଛ ସୃଷ୍ଟି ହେବ । ପରିବେଶକୁ ନିରାପଦ ରଖିବା ଲକ୍ଷ୍ୟରେ ମୁମ୍ବାଇର କାରିଗର ମାନେ ପରିବେଶ ଅନୁକୂଳ ଗଣେଶ ପ୍ରତିମା ଗଢୁଛନ୍ତି । ଯାହାକୁ ବିସର୍ଜନ କରିବା ପରେ ଏହା ପରିବେଶକୁ ପ୍ରଦୂଷିତ କରିବା ପରିବର୍ତ୍ତେ ପରିବେଶକୁ ସୁସ୍ଥ ରଖିବାରେ ସହାୟକ ହେବ ।

ସାଧାରଣତଃ ଭାରତରେ ବିଭିନ୍ନ ପର୍ବ ପରେ ନଦୀ ଓ ପୋଖରୀରେ ମୂର୍ତ୍ତି ବିର୍ସଜନ କରାଯାଇଥାଏ । ଏବେ ମୂର୍ତ୍ତିରେ ରାସାୟନିକ ରଙ୍ଗ ମିଶୁଥିବାରୁ ଏହାକୁ ନଦୀରେ ବିର୍ସଜନ କରିବା ଦ୍ୱାରା ଜଳ ଦୂଷିତ ହେବା ସହ ଏହାକୁ ବ୍ୟବହାର କରୁଥିବା ଲୋକ ମଧ୍ୟ ବିଭିନ୍ନ ଚର୍ମ ରୋଗର ଶିକାର ହୋଇଥାନ୍ତି । ତେଣୁ ଏସବୁ ଦୃଷ୍ଟିରେ ରଖି ମୁମ୍ବାଇର କାରିଗର ମାନେ ଚଳିତ ଥର ଏକ ନିଆରା ଉପାୟରେ ଗଣେଶ ପ୍ରତିମା ନିର୍ମାଣ କରୁଛନ୍ତି ।

ମୁମ୍ବାଇର ଗଣପର୍ବ ଗଣେଶ ଉତ୍ସବ । ଦଶ ଦିନ ଧରି ପାଳିତ ହେଉଥିବା ଏହି ଉତ୍ସବ ପାଇଁ ପୂରା ମୁମ୍ବାଇ ଉତ୍ସବମୁଖର ହୋଇଥାଏ । କିନ୍ତୁ ଚଳିତ ଥର ମୁମ୍ବାଇ ଗଣେଶ ଉତ୍ସବରେ କିଛି ନୂଆ ଦେଖିବାକୁ ମିଳିବ । କାରଣ ଚଳିତ ଥର ଗଣେଶ ପ୍ରତିମାକୁ ଯେଉଁ କାଦୁଅରେ ଗଢାଯାଉଛି ତାହାକୁ ବୃକ୍ଷ ଗଣେଷ ବୋଲି କୁହାଯାଉଛି । ବୃକ୍ଷ ଗଣେଶ ନାଁ ଶୁଣି ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମୁମ୍ବାଇର ଦତ୍ତଦ୍ରି କୋଠୁର ନାମକ ଜଣେ ଶିଳ୍ପୀ କାଦୁଅରେ ଗଢୁଛନ୍ତି ପରିବେଶ-ଅନୁକୂଳ ଗଣେଶ ମୂର୍ତ୍ତି ଯାହାକୁ କୁହାଯାଉଛି ‘ବୃକ୍ଷ ଗଣେଶ’। ପ୍ରକୃତ କଥା ହେଲା ଏହି ମୂର୍ତ୍ତି ମଧ୍ୟରେ ରହିଛି ମଞ୍ଜିଟିଏ। ପୂଜା ପରେ ଏହି ମୂର୍ତ୍ତିରେ ପାଣି ଦେଲେ କ୍ରମେ ସେଥିରୁ ଗଛ ଉଠିବ।

କୋଠୁର କହନ୍ତି, ବିସର୍ଜନ ଦିନ ଏହି ମୂର୍ତ୍ତିକୁ ବାଲକୋନି, ଟେରେସ୍ ବା ବଗିଚାରେ ରଖି ସେଥିରେ ଗଛରେ ପାଣି ଦେବା ପରି ପାଣି ଦେବେ। କ୍ରମେ ପ୍ରତିମା ବତୁରି ମିଳେଇ ଯିବ ଓ ୪ ରୁ ୧୦ ଦିନ ମଧ୍ୟରେ ସେଥିରୁ ଗଛ ଉଠିବ।ରୋହିତ ବାସ୍ତେ ନାମକ ଅନ୍ୟ ଜଣେ ଶିଳ୍ପୀ କାଗଜରେ ଗଣେଶ ପ୍ରତିମା ତିଆରି କରୁଛନ୍ତି। ପୂଜା ପରେ ଏହାକୁ ରିସାଇକ୍ଲ କରିହେବ। ତେଣୁ ଏସବୁ ଭିତରେ ଚଳିତ ଥର ଗଣେଶ ଚତୁର୍ଥୀ ପାଇଁ ମୁମ୍ବାଇର ସମସ୍ତ ପୂଜା ମଣ୍ଡପ ଗୁୁଡିକୁ ପରିବେଶ-ଅନୁକୂଳ ସାମଗ୍ରୀରେ ସଜା ଯାଉଛି ।