ଗାଡିରେ ନିର୍ଦ୍ଦିଷ୍ଟ ରଙ୍ଗର ନମ୍ବର ପ୍ଲେଟ ଥିଲେ ଦେବାକୁ ପଡିବନି ଟୋଲ ଟ୍ୟାକ୍ସ କିମ୍ବା ରୋଡ ଟ୍ୟାକ୍ସ! ଖୁବଶୀଘ୍ର ମୋଦି ସରକାର କରିପାରନ୍ତି ବଡ ଘୋଷଣା

46

ଗାଡି ଚାଳକଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ମୋଦି ସରକାର ଏକ ନୂଆ ଯୋଜନା ସାମ୍ନାକୁ ଆଣିବାକୁ ଯାଉଛନ୍ତି । ଯାହାର ଫାଇଦା ପ୍ରତ୍ୟେକ ଗାଡି ଚାଳକଙ୍କ ମିଳିବ । କାରଣ ଗ୍ରୀନ ଏନର୍ଜିକୁ ନେଇ ସରକାର ଖୁବଶୀଘ୍ର ନୂଆ ସ୍କିମ ଆଣିବାକୁ ଯୋଜନା କରୁଛନ୍ତି । ଖାସକରି ଇଲେକଟ୍ରିକ କାର ଓ ବାଇକ ମାଲିକ ମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏନେଇ ନୀତି ଆୟୋଗର ନିଷ୍ପତିକୁ ଅପେକ୍ଷା କରାଯାଇଛି ।

କଣ ଏହି ଗ୍ରୀନ ଏନର୍ଜି ସ୍କିମ :
ସରକାରଙ୍କ ଗ୍ରୀନ ଏନର୍ଜି ସ୍କିମ ଅନୁଯାୟୀ, ବିଦ୍ୟୁତଚାଳିତ କାର କିମ୍ବା ବାଇକରେ ସବୁଜ ରଙ୍ଗର ନମ୍ବର ପ୍ଲେଟ ଲଗାଯିବ । କାରଣ ଏହି ନମ୍ବର ପ୍ଲେଟ ହିଁ ଗାଡି ମାଲିକଙ୍କୁ ଅନେକ ଫାଇଦା ଦେବ । ସବୁଜ ନମ୍ବର ପ୍ଲେଟ ଥିବା ବିଦ୍ୟୁତଚାଳିତ ଗାଡି ଗୁଡିକ ପାଇଁ କୌଣସି ଟୋଲ ଟ୍ୟାକ୍ସ କିମ୍ବା ରୋଡ ଟ୍ୟାକ୍ସ ଲାଗି ନପାରେ । ଏହାଛଡା ଏହି ଧରଣର ଗାଡି ଗୁଡିକୁ ପାର୍କିଂ କ୍ଷେତ୍ରରେ ବିଶେଷ ସୁବିଧା ଦିଆଯିବ । କେବଳ ବିଦ୍ୟୁତ ଚାଳିତ ଗାଡି ନୁହେଁ ବରଂ ଜୈବ ଇନ୍ଧନରେ ଚାଲୁଥିବା ଗାଡି ଗୁଡିକୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ ।

ବିଦ୍ୟୁତ ଚାଳିତ କାର ଓ ବାଇକ ପାଇଁ ସରକାର ପୂର୍ବରୁ ସବସିଡି ଦେଇ ଆସୁଛନ୍ତି । ଏପରିକି ଆଗାମୀ ସେପ୍ଟେମ୍ବର ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦ୍ୟୁତଚାଳିତ ଗାଡି ଗୁଡିକ ପାଇଁ ପୁଣିଥରେ ସବସିଡି ଘୋଷଣା କରିବାକୁ ଯାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଆଗାମୀ ୫ ବର୍ଷ ପାଇଁ ବିଦ୍ୟୁତ ଚାଳିତ ଗାଡି ଗୁଡିକର ବିକ୍ରି ପାଇଁ ସରକାର ୫୫୦୦ କୋଟି ଟଙ୍କାର ସବସିଡି ଦେଇପାରନ୍ତି । ପେଟ୍ରୋଲ ଓ ଡିଜେଲ ଗାଡି ବଦଳରେ ଇଲେକଟ୍ରିକ ଗାଡି କିଣିବା ପାଇଁ ସରକାରଙ୍କ ଲୋକମାନଙ୍କୁ ପୋତ୍ସାହିତ କରିବା ସହ ପ୍ରଥମ ପଯ୍ୟାୟରେ ୭୦୦ କୋଟି ଟଙ୍କା ସବସିଡି ଆକାରରେ ପ୍ରଦାନ କରିଥିଲେ ।

କେଉଁ ଗାଡିକୁ ମିଳିବ କେତେ ସବସିଡି :
ବିଦ୍ୟୁତଚାଳିତ ଗାଡି ଗୁଡିକୁ କେତେ ସବସିଡି ମିଳିବ ତାହା ଗାଡିର ବ୍ୟାଟେରୀ ଉପରେ ନିର୍ଭର କରିଥାଏ । କାରଣ ବିଦ୍ୟୁତଚାଳିତ ଗାଡିରେ ଲାଗିଥିବା ବ୍ୟାଟେରୀର ଘଣ୍ଟା ପ୍ରତି କିଲୋୱାଟ କ୍ଷମତା ଉପରେ ୧୦ ହଜାର ଟଙ୍କାର ସବସିଡି ମିଳିଥାଏ । ସାଧାରଣତଃ ଏବେ ବଜାରକୁ ଆସୁଥିବା ଇ-କାର ବା ବିଦ୍ୟୁତଚାଳିତ କାରରେ ୧୪ କିଲୋୱାଟ ଆୱାର କ୍ଷମତା ବିଶିଷ୍ଟ ବ୍ୟାଟେରୀ ଲାଗିଥାଏ । ତେଣୁ ଏହି ଗାଡି କିଣିବା ଉପରେ ୧ ଲକ୍ଷ ୪୦ ହଜାର ଟଙ୍କାର ସବସିଡି ମିଳିପାରେ । ସେହିଭଳି ଦୁଇ ଚକିଆ ବିଦ୍ୟୁତଚାଳିତ ଗାଡିରେ ୨ କିଲେୱାଟ ଆୱାର କ୍ଷମତା ବିଶିଷ୍ଟ ବ୍ୟାଟେରୀ ରହୁଛି । ତେଣୁ ଦୁଇ ଚକିଆ ବିଦ୍ୟୁତ ଚାଳିତ ବାଇକ ଉପରେ ୨୦ ହଜାର ଟଙ୍କାର ସବସିଡି ମିଳିବ । ଅନ୍ୟପଟେ ତିନି ଚକିଆ ଗାଡିରେ ୪ରୁ ୪.୫ କିଲୋୱାଟ ଆୱାର କ୍ଷମତା ବିଶିଷ୍ଟ ବ୍ୟାଟେରୀ ରହିଥାଏ । ତେଣୁ ଏହି ଗାଡି ଉପରେ ୪୦ରୁ ୪୫ ହଜାର ପର୍ଯ୍ୟନ୍ତ ସବସିଡି ମିଳିବ ।

ଖାସକରି ପରିବେଶ ପ୍ରଦୂଷଣ ରୋକିବାକୁ ସରକାର ବିଦ୍ୟୁତଚାଳିତ ଗାଡି ଚଳାଚଳ ଉପରେ ଜୋର ଦେଉଛନ୍ତି । ତେଣୁ ଏହି ଧରଣର ଗାଡି କିଣିବା ଉପରେ ସରକାର ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଗାଡି କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି ତେବେ ଅନ୍ୟପଟେ ସରକାର ସବସିଡି ପ୍ରଦାନ କରି ଲୋକମାନଙ୍କୁ ବିଦ୍ୟୁତଚାଳିତ ଗାଡି କିଣିବାକୁ ପୋତ୍ସାହିତ କରୁଛନ୍ତି । କାରଣ ଏହାଦ୍ୱାରା ପରିବେଶ ପ୍ରଦୂଷଣକୁ କିଛି ମାତ୍ରାରେ ରୋକାଯାଇ ପାରିବ ।