ପ୍ରେମିକକୁ ତଂଟି ଚିପି ମାରିଦେଲା ପ୍ରେମିକା ! ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକକୁ ହତ୍ୟା କଲେ ଯୁବତୀ, ଥାନାରେ ଆତ୍ମସମର୍ପଣ ।

48

କନକ ବ୍ୟୁରୋ : ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକକୁ ତଂଟିଚିପି ହତ୍ୟା କଲା ପ୍ରେମିକା । ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏଭଳି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପ୍ରଥମ ପ୍ରେମିକ ବାହା ହେବାକୁ ଜିଦ୍ ଧରିବାରୁ ଦ୍ୱିତୀୟ ପ୍ରେମିକ ସହ ମିଶି ପ୍ରେମିକା ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ।ବୁଧବାର ରାତି ପ୍ରାୟ ୮ଟା ସମୟରେ ବନ୍ଦ ଘର ଭିତରେ ତିନି ଜଣଙ୍କ ମଧ୍ୟରେ ଚାଲିଥିଲା ଭୟଙ୍କର ଯୁଦ୍ଧ । ଜଣେ ଯୁବତୀ ଓ ଦୁଇ ଜଣ ଯୁବକ । ଯୁବତୀ ଓ ଜଣେ ଯୁବକ ଆଉ ଜଣେ ଯୁବକଙ୍କ ତଂଟିଚିପି ମାରିବାକୁ ଉଦ୍ୟମ କରୁଥିଲେ । ଏବଂ ଶେଷରେ ସେମାନେ ଏଥିରେ ସଫଳ ହେଲେ । ଏବଂ ଆକ୍ରମଣର ଶିକାର ହୋଇଥିବା ଯୁବକ ଛଟପଟ ହୋଇ ପ୍ରାଣ ହରାଇଲେ । ଇଏ ଥିଲା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ଶେଷ ପରିଣତି । ଯୁବତୀ ଓ ତାଙ୍କ ପ୍ରେମିକ ମିଶି ପୂର୍ବତନ ପ୍ରେମିକକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେଲେ ।

ପୋଲିସର କହିବା ଅନୁସାରେ ସୁଶ୍ରୀ ସସ୍ମିତା ମହାନ୍ତି ଓ କୁମାର ଚନ୍ଦନ ପତି, ଦୁଇ ଜଣ ମିଶି ସୁଶ୍ରୀଙ୍କ ପ୍ରଥମ ପ୍ରେମିକ ବୈଜୟନ୍ତ ପ୍ରସାଦ ମହାନ୍ତିଙ୍କୁ ରାସ୍ତାରୁ ହଟାଇ ଦେଇଛନ୍ତି । ମେରାଇନ୍ ଇଂଜିନିୟର ଭାବେ କାମ କରୁଥିବା ବୈଜୟନ୍ତ, ଭୁବନେଶ୍ୱର ଆସି ସସ୍ମିତାଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ । କିନ୍ତୁ ସେ ଜାଣିନଥିଲେ ଯେ, ସସ୍ମିତାଙ୍କ ପ୍ରେମ କାହାଣୀରେ ଆଉ ଜଣେ ଯୁବକ ହିରୋ ହୋଇ ଏଂଟ୍ରି କରିସାରିଥିଲା । ପୋଲିସର କହିବା ଅନୁସାରେ ଯେତେବେଳେ ମେରାଇନ୍ ଇଂଜିନିୟର ବୈଜୟନ୍ତ, ସସ୍ମିତାଙ୍କୁ ବାହା ହେବା ପାଇଁ ଜିଦ୍ ଧରିବସିଲେ । ସେତେବେଳେ ଉଭୟ ସସ୍ମିତା ଓ ଚନ୍ଦନ ବୈଜୟନ୍ତଙ୍କୁ ରାସ୍ତାରୁ ହଟାଇ ଦେବାପାଇଁ ପ୍ଲାନ ବନାଇଲେ ।

ବୁଧବାର ରାତି ପ୍ରାୟ ସାଢେ ୭ଟାରୁ ୮ଟା ଭିତରେ ସସ୍ମିତା ଓ ଚନ୍ଦନ ନିଜେ ବନାଇଥିବା ବିଲିଅନ୍ ଏଂଟରଟେନମେଂଟ୍ ଅଫିସକୁ ଆସିଥିଲେ ବୈଜୟନ୍ତ । ଉଦ୍ଦେଶ୍ୟ ଥିଲା ,ସସ୍ମିତାଙ୍କୁ ମନାଇବାକୁ ଚେଷ୍ଟା କରିବେ । କିନ୍ତୁ ସେ ଜାଣିନଥିଲେ ତାଙ୍କୁ ମାରିବା ପାଇଁ ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇସାରିଥିଲା ।

ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଗାଁରୁ ଆସି ରାଜଧାନୀ ଭୁବନେଶ୍ୱରରେ କୁମାର ଚନ୍ଦନଙ୍କ ସହ ମିଶି ବିଲିଅନ୍ ଏଂଟରଟେନମେଂଟ୍ ନାମକ ଏକ କମ୍ପାନୀ ତିଆରି କରିଥିଲେ ସୁଶ୍ରୀ ସସ୍ମିତା ମହାନ୍ତି । କମ୍ପାନୀରେ ପାର୍ଟନର ଥିଲେ ଚନ୍ଦନ । କମ୍ପାନୀ ଆଗକୁ ବଢୁଥିଲା ଆଉ ଉଭୟଙ୍କ ଭିତରେ ଭଲପାଇବା ବି ଗଢିଉଠିଥିଲା । କିନ୍ତୁ ତା ଭିତରେ ସେହି ରଘୁନାଥପୁର ଗାଁର ବୈଜୟନ୍ତଙ୍କ ପ୍ରେମକୁ ଭୁଲିଯାଇଥିଲେ ସସ୍ମିତା । ବୁଧବାର ଘଟଣା ପରେ ପୋଲିସ ଆଗରେ ଆସି ଉଭୟ ସତ ମାନିଯାଇଥିଲେ । ଆତ୍ମସମର୍ପଣ ପରେ ପୋଲିସ ସସ୍ମିତା ଓ ଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଉଭୟଙ୍କ ବିରୋଧରେ ଦଫା ୩୦୨ ଅର୍ଥାତ୍ ହତ୍ୟା ଓ ଦଫା ୩୪ ଆଧାରରେ ମାମଲା ରୁଜୁ କରିଛି ।