ପୁଅ ହେବ କି ଝିଅ ଜଣାଇ ଦେଉଥିଲେ ଡାକ୍ତର ! ବେଆଇନ କାମ ପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା

86

ଭ୍ରୁଣ ଚିହ୍ନଟ ଭାରତରେ ବେଆଇନ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ । ମିଡିଆ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର କିଛି ସରକାରୀ ଡାକ୍ତର ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରିବା ସହ ଲୋକମାନଙ୍କୁ ମନ ଚାହୁଁଥିବା ସନ୍ତାନ ପ୍ରାପ୍ତ କରିବାରେ ସାହାର୍ଯ୍ୟ କରୁଛନ୍ତି । ଆଉ ଏଥିପାଇଁ ଫିସ୍ ଆକାରରେ ୧୩ ଲକ୍ଷ ଟଙ୍କା ନେଉଥିବା ଜଣାପଡିଛି । ଡେଲି ମେଲର ରିପୋର୍ଟ ଅନୁଯାୟୀ, ବ୍ରିଟିଶର ଶହ ଶହ ଦମ୍ପତି ଟଙ୍କା ଦେଇ ଏହି ଉପାୟରେ ଝିଅ କିମ୍ବା ପୁଅ ଜନ୍ମ ଦେଉଛନ୍ତି । ଆଉ ଏହି ଦମ୍ପତିଙ୍କ ମଧ୍ୟରେ ପ୍ରବାସୀ ଭାରତୀୟ ଦମ୍ପତି ଅଧିକ ରହିଛନ୍ତି ।

ଏହି ଡାକ୍ତର ମାନେ ଦମ୍ପତି ମାନଙ୍କୁ ଜନ୍ମ ନେବାକୁ ଥିବା ଶିଶୁର ଲିଙ୍ଗ ବାଛିବାରେ ସହାୟତା କରିଥାନ୍ତି । ଆଉ ଏହା ବଦଳରେ ମୋଟା ଫିସ୍ ମଧ୍ୟ ନେଇଥାନ୍ତି । ଡାକ୍ତର ମାନଙ୍କ କହିବା ଅନୁଯାୟୀ, ବ୍ରିଟିଶ ଦମ୍ପତି ଝିଅ ମାନଙ୍କ ପାଇଁ ସେମାନଙ୍କ ପାଖକୁ ଆସୁଥିବା ବେଳେ ଭାରତୀୟ ଓ ଚୀନର ମୂଳ ବାସିନ୍ଦା ମାନେ ପୁଅଙ୍କ ଭ୍ରୁଣ ଚିହ୍ନଟ କରିବାକୁ ସେମାନଙ୍କ ପାଖକୁ ଆସିଥାନ୍ତି ।

ଡାକ୍ତର ମାନେ ପ୍ରଥମେ ପ୍ରାଇଭେଟ କ୍ଲିନକରେ ଚିକିତ୍ସା କରିବା ପରେ ଦମ୍ପତିଙ୍କୁ ବିଦେଶୀ ସେଣ୍ଟରକୁ ପଠାଇ ଦେଉଥିଲେ । ଡାକ୍ତର ମାନେ ଆଇବିଏଫ ଜ୍ଞାନକୌଶଳ ସାହାଯ୍ୟରେ ଶିଶୁ ମାନଙ୍କର ଲିଙ୍ଗ ଜାଣି ପାରୁଥିଲେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ । ଏହି ଘଟଣା ଜଣା ପଡିବା ପରେ ବ୍ରିଟେନ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲିଙ୍ଗ ନିରୁପଣ କରିବା ପରେ ଜନ୍ମ ନେଉଥିବା ଶିଶୁଙ୍କ ଠାରେ ଆନୁବଂଶିକ ରୋଗର ଲକ୍ଷଣ ଦେଖାଯାଇଥାଏ । ଏହାପରେ ମଧ୍ୟ କିଛି ଦମ୍ପତି ଏଥିରୁ ବିରତ ରହୁନାହାନ୍ତି । ଏହାଛଡା ଆମେରିକା ଓ ଇଂଲଣ୍ଡର କିଛି ସେଲିବ୍ରିଟି ଭ୍ରୁଣ ନିରୂପଣ ପ୍ରକିୟାକୁ ସମର୍ଥନ ମଧ୍ୟ କରୁଛନ୍ତି ।