ପଡିଆରେ ବିପକ୍ଷ ଦଳ ପାଇଁ ଘାତକ ସାଜୁଥିଲେ ବୋଲର ଓ ଅଧିନାୟକ । ଆଜି ଚାଲିବା ପାଇଁ ସଂଘର୍ଷ କରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ଜୟସୁରିଆ

29

ଦିନେ ପଡିଆରେ ନିଜ ବୋଲିଂ ମାଧ୍ୟମରେ ବିପକ୍ଷ ଦଳର ନିଦ ହଜାଉଥିବା ଦୁର୍ଦ୍ଦଷ ବୋଲର ତଥା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଜି ନିଜେ ଠିକ ଭାବେ ଚାଲିବାକୁ ସକ୍ଷମ ନୁହନ୍ତି । ବିନା ସାହାରାରେ ସେ ଗୋଟିଏ ପାଦ ବି ଚାଲିପାରୁନାହାନ୍ତି । କେବଳ ବୋଲର ନୁହନ୍ତି ଆକ୍ରମଣାତ୍ମକ ବାମହାତୀ ବ୍ୟାଟସମ୍ୟାନ ଆଜି ନିଜ ଆଣ୍ଠୁ ଜନିତ ସମସ୍ୟାରେ ସଂଘର୍ଷ କରୁଛନ୍ତି । ଆଉ ଖୁବଶୀଘ୍ର ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ହୋଇପଡିଛି ।

କ୍ରିକେଟରୁ ଅବସର ନେବା ପରେ ଜୟସୁରିଆ, ଶ୍ରୀଲଙ୍କା ଚୟନ କମିଟିର ଅଧ୍ୟକ୍ଷ ଭାବେ ଦୁଇଥର ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ବିବାଦ ଭିତରେ ଶେଷ ହୋଇଥିଲା । ଏପରିକି ତାଙ୍କ କାର୍ଯ୍ୟକାଳ ଭିତରେ ସେ ଏପରି କେତେଗୁଡିଏ ବିବାଦୀୟ ପରିବର୍ତନ ଆଣିଥିଲେ ଯାହାଦ୍ୱାରା ଖେଳାଳିମାନେ ପ୍ରଭାବିତ ହୋଇଥିଲେ ଓ ଟିମରେ ସ୍ଥାନ ପାଇବା ନେଇ ଚିନ୍ତିତ ଥିଲେ । ଏପରିକି ୨୦୧୭ରେ ସାଉଥଆଫ୍ରିକା ଓ ଭାରତରେ ଦୟନୀୟ ପ୍ରଦର୍ଶନ ପରେ ଜୟସୁରିଆ ଓ ତାଙ୍କ ଟିମକୁ ଇସ୍ତଫା ଦେବାକୁ ପଡିଥିଲା ।

ଜୟସୁରିଆ ବର୍ତମାନ ଆଶାବାଡି ବିନା ଚାଲିବାକୁ ସକ୍ଷମ ନୁହନ୍ତି ଓ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହେବା ଦରକାର । ସେ ଏହି ସପ୍ତାହରେ ଅଷ୍ଟ୍ରେଲିଆ ଯାଇପାରନ୍ତି । ମେଲବୋର୍ଣ୍ଣରେ ତାଙ୍କର ଅସ୍ତ୍ରୋପଚାର ହେବ । ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିବାରୁ ଏଥିପାଇଁ ତାଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାସେ ରହିବାକୁ ପଡିବ ।ଏପରିକି ଅପରେସନ ପରେ ସେ ଠିକ ଭାବେ ଠିଆ ହୋଇପାରୁଛନ୍ତି କି ନାହିଁ ଚେକ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି ।

୨୦୧୧ରେ ଅବସର ନେବା ପୂର୍ବରୁ ୪୮ ବର୍ଷିୟ ଜୟସୁରିଆ ଶ୍ରୀଲଙ୍କାର ଜଣେ ଜଶାଶୁଣା ବ୍ୟାଟସମ୍ୟାନ ଥିଲେ । ଏମିତି କେହି ବୋଲର ନଥିଲେ ଯିଏ ଜୟସୁରିଆଙ୍କୁ ଭୟ କରୁନଥିଲେ । କ୍ରିଜରେ ରହିଲେ ବିପକ୍ଷ ଦଳର ସବୁ ରଣନୀତି ବିଫଳ ହେଉଥିଲା । ବ୍ୟାଟିଂ ମାଧ୍ୟମରେ ସେ କେବଳ ଶ୍ରୀଲଙ୍କାରେ ନୁହେଁ ସାରା ବିଶ୍ୱରେ ନିଜର ଫ୍ୟାନ ସୃଷ୍ଟି କରିପାରିଛନ୍ତି ।

ଜୟସୁରିଆ ହାରାହାରି ୪୦ ହିସାବରେ ୧୧୦ ଟେଷ୍ଟ ମ୍ୟାଚରୁ ୬୯୭୩ ରନ ସଂଗ୍ରହ କରିଥିଲେ ।ସେହିପରି ୪୩୩ଟି ଦିନିକିଆ ମ୍ୟାଚରୁ ୧୩ହଜାର ସଂଗ୍ରହ କରିଥିଲେ । ୨୦-୨୦ରେ ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ ବାମହାତି ବ୍ୟାଟସମ୍ୟାନ ଜୟସୁରିଆ । ଅବସର ନେବା ପୂର୍ବରୁ ୩୧ଟି ଟି-ଟ୍ୱେଂଟି ମ୍ୟାଚ ଖେଳିଥିଲେ କିମ୍ବଦନ୍ତି କ୍ରିକେଟର,ବର୍ତମାନ ଆଣ୍ଠୁ ଜନିତ ସମସ୍ୟାରେ ଜର୍ଜରିତ ।