ପୁରୀ ବ୍ରହ୍ମଗିରି ରେଂଜ ପାଲଟିଛି ଶିକାରୀଙ୍କ ଭୂସ୍ୱର୍ଗ : କେବେ ଗୁଳି ତ କେବେ ବିଷରେ ମରୁଛନ୍ତି ବିଦେଶୀ ପକ୍ଷୀ

35

କନକ ବ୍ୟୁରୋ : ଶୀତ ଋତୁରେ ଓଡିଶାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଅନୁରୂପ ଭାବେ ପକ୍ଷୀ ଶିକାର ବି ବଢି ଚାଲିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜ୍ ଘଟକୁଡି ଗାଁରେ ବନବିଭାଗର ଚଢାଉ ପରେ ପୁଣି ଥରେ ଏପରି ଘଟଣା ସାମନାକୁ ଆସିଛି । ୮ ଟି ବିଦେଶୀ ପକ୍ଷୀ ଜବତ କରିଛି ବନବିଭାଗ । ତେବେ ବନବିଭାଗ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛନ୍ତି ୪ ଜଣ ଶିକାରୀ । ଘଟକୁଡି ଅଂଚଳରେ ପକ୍ଷୀ ଶିକାର ନେଇ ପୂର୍ବରୁ ମଧ୍ୟ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା ।

ଆଜି ଭୋରରୁ ବ୍ରହ୍ମଗିରି ବନବିଭାଗ ୪ ଜଣିଆ ଟିମ୍ ବାଇକରେ ଯାଇ ଅଚାନକ ଚଢାଉ କରିଥିଲେ । ୫ଟି ନର୍ଦର୍ଣ ପିଂଟେଲ୍, ୨ଟି ସୋଲଭର ସହ ଗୋଟିଏ ଗଡୱାର ପ୍ରଜାତିର ମୃତ ପକ୍ଷୀ ଜବତ ହୋଇଛି । ଫ୍ଲୋରାଡିନ୍ ନାମକ ବିଷ ପ୍ରୟୋଗ କରି ଶିକାରୀମାନେ ପକ୍ଷୀ ଶିକାର କରିଥିବା ବନବିଭାଗ ସୂଚନା ଦେଇଛି । ଶିକାରୀ ମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବନବିଭାଗ ।