ବନ୍ୟା ଆଣୁଛି ସୁବର୍ଣ୍ଣରେଖା ! ନଦୀର ଜଳସ୍ତର ଏବେବି ବିପଦ ସଙ୍କେତ ଉପରେ

76

କନକ ବ୍ୟୁରୋ : ବନ୍ୟା ଜଳରେ ଘେରାବନ୍ଦୀ । ଚାରିଆଡେ ପାଣି ଆଉ ମଝିରେ ଫଶିଛି ଘର । ଗାଁ ଦାଣ୍ଡରେ ବୋହୁଛି ନଦୀର ପ୍ରଖର ସୁଅ । ଘରୁ ପାଦ କାଢିବା ବି ମୁସ୍କିଲ । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ଘରଦ୍ୱାର, ସ୍କୁଲ୍, ରାସ୍ତାଘାଟ ସବୁଠି ପାଣିର କର୍ଫ୍ୟୁ । ସୁବର୍ଣ୍ଣରେଖା ବନ୍ୟାଜଳରେ ଉବୁଟୁବୁ ଜୀବନ । ଶହ ଶହ ଲୋକ ଜଳବନ୍ଦୀ ।

କମିଛି ଜଳସ୍ତର ତଥାପି ବିପଦ ସଙ୍କେତ ଉପରେ ବୋହୁଛି ସୁବର୍ଣ୍ଣରେଖା । ବାଲେଶ୍ୱର ବାଲିଆପାଳ ବ୍ଲକ୍ ୧୦ଟି ପଂଚାୟତର ୭୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସେହିପରି ବସ୍ତା, ଜଳେଶ୍ୱର ଓ ଭୋଗରାଇରେ ବନ୍ୟା ସ୍ଥିତିରେ ସୁଧାର ଆସୁନି । ଗାଁରେ ଏବେ ବି ଅଂଟାଏ ଉଚ୍ଚର ପାଣି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ରେଙ୍ଗାଳି ଡ୍ୟାମ୍ ଖୋଲିବା ପରେ ଅନୁଗୁଳରେ ବନ୍ୟା ସ୍ଥିତି ଉପୁଜିଛି । କଣିହାଁ ବ୍ଲକର  ୧୨ ଟି ଗାଁରେ ପାଣି ପଶିଛି । ଢେଙ୍କାନାଳରେ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିବା ପରେ ତଳି ଅଂଚଳ ବୁଡିଯାଇଛି । ଏହାରି ଭିତରେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାର କହିଛନ୍ତି । ତେବେ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି । ବନ୍ୟା ସ୍ଥିତି ସୁଧୁରୁଥିବା ସ୍ଥାନରେ ଜୋରସୋରରେ ଚାଲିଛି ଥଇଥାନ କାମ । ରିଲିଫ୍ କେନ୍ଦ୍ରରେ ଥିବା ଲୋକଙ୍କୁ ନିଜ ଘରକୁ ପଠାଯାଉଛି ।