ଏହି ୫ଟି ବଡ ରାଜ୍ୟର ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ ୨୦୧୯ରେ କିଏ ଗଢିବ ସରକାର ।

203

ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଝଟକା ଦେଇଛି । କିନ୍ତୁ କଂଗ୍ରେସକୁ ପାଇଁ ଏହି ଫଳାଫଳ ସଞ୍ଜିବନୀ ଦେଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ମଉଳିଯାଇଛି ପଦ୍ମ । ବିଜେପି ଶାସିତ ଏହି ତିନୋଟି ରାଜ୍ୟ ଏବେ କଂଗ୍ରେସ ଅଧୀନକୁ ଆସିଛି । ଏହି ନିର୍ବାଚନ ଫଳାଫଳ ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପାଇଁ କଡା ଚ୍ୟାଲେଞ୍ଜ ନେଇ ଆସିଛି ।

ତେବେ ସବୁଠାରୁ ବଡ କଥା ହେୁଉଛି, ୨୦୧୯ ଲୋକସଭା ନିର୍ବାଚନର ସତ୍ତା ୫ଟି ରାଜ୍ୟ ପାଖରେ ରହିଛି । ଆଉ ଏହି ରାଜ୍ୟ ଗୁଡିକ ହେଉଛି, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଏବଂ ତାମିଲନାଡୁ । ଦେଶର ଏମିତି ଏହି ୫ଟି ରାଜ୍ୟ, ଯେଉଁଠି ଅଧିକ ଲୋକସଭା ଆସନ ରହିଛି । ଏହି ରାଜ୍ୟରେ ପାଖାପାଖି ୨୪୯ଟି ସଂସଦୀୟ ସିଟ୍ ରହିଛି । ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଗଠବନ୍ଧନକୁ ୧୪୮ଟି ଆସନ ମିଳିଥିଲା । ଆଉ କଂଗ୍ରେସକୁ ମାତ୍ର ୧୦ଟି ଆସନ ମିଳିଥିବା ବେଳେ ଅନ୍ୟ ଦଳମାନଙ୍କୁ ୯୧ଟି ଆସନ ମିଳିଥିଲା ।

୨୦୧୯ ନିର୍ବାଚନରେ ଏହି ୫ଟି ରାଜ୍ୟ ଉପରେ ହିଁ ସମସ୍ତଙ୍କ ନଜର ରହିବ । ବିଧାନସଭା ନିର୍ବାଚନ ପରେ କୁହାଯାଉଛି ଯେ, ଏହି ରାଜ୍ୟ ଗୁଡିକରେ ବଦଳିପାରେ ରାଜନୈତିକ ସମୀକରଣ । ବିଜେପି ପାଇଁ ଯେଉଁଠି କଡା ଚ୍ୟାଲେଞ୍ଜ ସୃଷ୍ଟି ହେଉଛି, କଂଗ୍ରେସ ପାଇଁ ସେଠାରେ ନୂଆ ଆଶା ସଞ୍ଚାର ହେଉଛି । ଏହି ୫ଟି ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଏବଂ ତାମିଲନାଡୁ ୨୦୧୯ ଲୋକସଭା ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହେବ । ଅର୍ଥାତ ଏହି ରାଜ୍ୟ ଗୁଡିକୁ ଯିଏ ଦଖଲ କରିବ ସିଏ ହିଁ ଦେଶରେ ସରକାର ଗଢିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ରହିଥିବାରୁ ଏହାକୁ କବଜା କରିବା ପାଇଁ ଏବେଠୁ ଚାଲିଲାଣି ଅଙ୍କକଷା ।