ଦୁନିଆରେ ପ୍ରଥମ ଜିନ୍ ରୂପାନ୍ତରିତ ଶିଶୁ : ଜନ୍ମ ହେବାର ଦାବି କଲା ଚୀନ୍ । ଜାଣନ୍ତୁ ଜିନ୍ ରୂପାନ୍ତରଣ ପ୍ରକ୍ରିୟା କେଉଁ କ୍ଷେତ୍ରରେ ହେବ ଲାଭପ୍ରଦ

ବଂଶଗତ ରୋଗକୁ ଏଡ଼ାଇବାରେ ଜିନ୍ ରୂପାନ୍ତରଣ ପ୍ରକ୍ରିୟା ସହଯୋଗ କରିଥାଏ ।

234

ଚୀନ୍ ବିଶ୍ୱର ପ୍ରଥମ ଜିନ୍ ରୂପାନ୍ତରିତ ଶିଶୁ ସୃଷ୍ଟି କରିଛି। ଚୀନର ଜଣେ ବୈଜ୍ଞାନିକ ବିଶ୍ୱର ପ୍ରଥମ ଜିନ୍ ରୂପାନ୍ତରିତ ଶିଶୁ ସୃଷ୍ଟି କରିଥିବା ଦାବି କରିଛନ୍ତି। ଯଦି ଏହା ସତ ପ୍ରମାଣ ହୁଏ ତେବେ ଏହା ବିଜ୍ଞାନ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ତେବେ ଜିନ୍ ରୂପାନ୍ତରିତ କାର୍ଯ୍ୟକୁ ଅନେକ ଦେଶରେ ନିଷିଦ୍ଧ କରାଯାଇଛି। ଅନେକ ପ୍ରମୁଖ ବୈଜ୍ଞାନିକମାନେ ମଧ୍ୟ ଜିନ୍ ରୂପାନ୍ତରିତ ପ୍ରକ୍ରିୟାକୁ ଅସୁରକ୍ଷିତ ବୋଲି ବିବେଚନା କରିଛନ୍ତି। ସେନଜେନର ସଦର୍ଣ୍ଣ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକନୋଲୋଜିର ଜଣେ ବିଶେଷଜ୍ଞ ହେ ଜିଆନକୁଇ ଦାବି କରିଛନ୍ତି ଯେ, ସେ ପ୍ରଜନନ ଚିକିତ୍ସା ସମୟରେ ୭ ଦମ୍ପତିଙ୍କ ଭ୍ରୂଣକୁ ଗୋଟିଏ ଗର୍ଭଧାରଣ କ୍ଷେତ୍ରରେ ବଦଳ କରିଥିଲେ ଏବଂ ଗତ କିଛି ସପ୍ତାହ ପୂର୍ବେ ଏହି ଯାଆଁଳା ଜିନ୍ ରୂପାନ୍ତରିତ ଶିଶୁ ଜନ୍ମ ହୋଇଛନ୍ତି।

ଚୀନର କୌଣସି ପତ୍ରିକାରେ ଏନେଇ ଖବର ପ୍ରକାଶ ପାଇନାହିଁ। ହଂକଂରେ ଏହି ଜିନ୍ ରୂପାନ୍ତରଣ ବିଷୟବସ୍ତୁ ଉପରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ବିଶେଷଜ୍ଞ ଜଣଙ୍କ ଜିନ୍ ରୂପାନ୍ତରିତ କରିଥିବା ପ୍ରକାଶ କରିଥିଲେ। କିଛି ବୈଜ୍ଞାନିକ ଜିନ୍ ରୂପାନ୍ତରିତ ଶିଶୁ ସୃଷ୍ଟି ହେବା କଥାରେ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ବୈଜ୍ଞାନିକ ହେ କହିଛନ୍ତି ଯ. ସେ ଅନେକ ବର୍ଷ ଧରି ପ୍ରଥମେ ମୂଷା ଏବଂ ମାଙ୍କଡ଼ଙ୍କ କ୍ଷେତ୍ରରେ ଏନେଇ ପରୀକ୍ଷା କରିଥିଲେ। ଗତ କିଛି ସପ୍ତାହ ପୂର୍ବେ ଚୀନରେ ଜନ୍ମ ହୋଇଥିବା ଏହି ଶିଶୁ ଦୁଇଟିଙ୍କ ଡିଏନଏକୁ ଭ୍ରୂଣ ଭାବେ ବଦଳ କରାଯାଇଛି। ଫଳରେ ସେମାନେ ଏଚଆଇଭି ସଂକ୍ରମିତ ହେବେ ନାହିଁ। ସୂଚନାଯୋଗ୍ୟ, କୌଣସି ବଂଶଗତ ରୋଗକୁ ଏଡ଼ାଇବାରେ ଜିନ୍ ରୂପାନ୍ତରଣ ପ୍ରକ୍ରିୟା ସହଯୋଗ କରିଥାଏ।