‘କାଳିଆ’ ଯୋଜନାକୁ ପ୍ରଶଂସା କଲେ ଅର୍ଥ କମିଶନ ! ଉନ୍ନତ ଯୋଜନା ବୋଲି କହିବା ସହ ତଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଦେଲେ ପରାମର୍ଶ ।

204

କନକ ବ୍ୟୁରୋ : ରାଜ୍ୟର ବିକାଶ ନେଇ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅର୍ଥ କମିସନ୍ ନନ୍ଦକିଶୋର ସିଂହ । କାଳିଆ ଯୋଜନାକୁ ପ୍ରଶଂସା କରିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥ କମିସନ । ରାଜ୍ୟରେ ସ୍ଥିର ସରକାର ଯୋଗୁଁ ଗରିବି କମିଛି ବୋଲି ସେ କହିଛନ୍ତି । ତେବେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କମିସନ୍ । ସେପଟେ ଟିକସ ଭାଗକୁ ବୃଦ୍ଧି କରିବା ଏବଂ ସେସ୍ ଓ ସରଚାର୍ଜର ଭାଗ ରାଜ୍ୟକୁ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନଙ୍କୁ ପ୍ରଶଂସା କଲେ ଅର୍ଥ କମିସନ୍ । ଅର୍ଥ କମିସନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗୋଲାପୀ ଚିତ୍ର ରଖିଥିବା ବେଳେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅର୍ଥ କମିସନ । ରାଜନୈତିକ ସ୍ଥିରତା ଓ ନେତୃତ୍ୱ ଯୋଗୁଁ ରାଜ୍ୟରେ ଗରିବି କମିଛି ବୋଲି କହିଛନ୍ତି ଅର୍ଥ କମିସନ୍ । ପଂଚଦଶ ଅର୍ଥ କମିସନ ଅଧ୍ୟକ୍ଷ ନନ୍ଦ କିଶୋର ସିଂହ କହିଛନ୍ତି, ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ହେଉଥିବା ବେଳେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାର ଠାରୁ ଭଲ ରହିଛି ।

କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ଅର୍ଥ କମିସନ୍ । ତେବେ ସ୍ୱଚ୍ଛତା ରଖି ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନା ପହଁଚାଇବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ହାତ ଟେକି ଦେଇଥିବା ବେଳେ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଥା ବିଚାରକୁ ନିଆଯାଇପାରେ ବୋଲି କହିଛନ୍ତି ଅର୍ଥ କମିସନ୍ ।

ସେପଟେ ଅର୍ଥ କମିସନଙ୍କ ନିକଟରେ ୬ଟି ପ୍ରମୁଖ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

– କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଭାଗବଂଟା ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଉ ।

– ସେସ୍ ଓ ସରଚାର୍ଜର ଅଂଶ ମଧ୍ୟ ରାଜ୍ୟକୁ ମିଳୁ

– ୧୯୭୧ ଜନଗଣନା ଆଧାରରେ ଭାଗବଂଟା ହେଉ

– ଜିଏସଟି କ୍ଷତିପୂରଣ ଆଉ ୧୦ ବର୍ଷ ପାଇଁ ବଢ଼ାଯାଉ

– କ୍ଲିନ୍ ଏନର୍ଜି ସେସ୍ କୋଇଲା ଖଣି ଅଂଚଳରେ ଖର୍ଚ୍ଚ କରାଯାଉ

ଏହି ସବୁ ପ୍ରସ୍ତାବ ସହ ଅଧିକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଓ ଆଗୁଆ ସତର୍କ ସୂଚନା ପଦ୍ଧତିର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କୁ ୧୫୦୦ କୋଟି ଟଙ୍କାର ସହାୟତା ପାଇଁ ଅନୁରୋଧ କରିଛନ୍ତି ନବୀନ । ସେପଟେ ଅର୍ଥ କମିସନଙ୍କୁ ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତି ବିଶେଷ, ଶିଳ୍ପପତି, ପଂଚାୟତ ସମିତି ଓ ପୌର ସଂସ୍ଥାର ପ୍ରତିନିଧି ଭେଟି ଦାବି ଉପସ୍ଥାପନ କରିଛନ୍ତି । ଏକ ଡିଷ୍ଟ୍ରେସ୍ ଫଣ୍ଡ ଗଠନ କରିବାକୁ ବରିଷ୍ଠ ନେତା ବିଜୟ ମହାପାତ୍ର ଦାବି କରିଥିବା ବେଳେ ସମସ୍ତଙ୍କୁ ଏକାଠି କରି ରାଜ୍ୟ ସରକାର କାହିଁକି ଦାବି ରଖୁନାହାନ୍ତି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ  । ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ନିକଟରେ ୪ ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି କରିଥିଲା ଓଡ଼ିଶା, ତେବେ ମିଳିଥିଲା ମାତ୍ର ୧ ଲକ୍ଷ ୮୪ ହଜାର କୋଟି ଟଙ୍କା । ପଂଚଦଶ ଅର୍ଥ କମିସନଙ୍କ ନିକଟରେ ସରକାର ୮ ଲକ୍ଷ ୨୦ ହଜାର କୋଟି ଟଙ୍କା ଦାବି କରିଥିବା ସୂଚନା ମିଳିଛି ।