ରାଜନୀତିର ଛକାପଞ୍ଝାରେ ଫଶିଛି ତାଳଚେର ଏଫସିଆଇ ସାର କାରଖାନା! ୨୦୦୨ରୁ ବନ୍ଦ ପଡିଥିବା କାରଖାନାକୁ ପୁନରୁଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କଲା  ମୋଦି ସରକାର ।

24
କନକ ବ୍ୟୁରୋ : ରାଜନୈତିକ ଛକା ପଞ୍ଝାରେ ଫସି ଯାଇଛି ତାଳଚେର ଏଫସିଆଇ ସାର କାରଖାନା । ୨୦୦୨ ଏନଡିଏ ସରକାର ସମୟରୁ ବନ୍ଦ ପଡିଥିବା କାରଖାନାର ପୁନରୁଦ୍ଧାରକୁ ନେଇ ଜୋର ଧରିଛି ରାଜନୀତି । ବନ୍ଦ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୁଣି ଯୋଜନା କରୁଛି ଏନଡିଏ ସରକାର । ପୂର୍ବରୁ କାରଖାନା ଚଳାଇବା ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ଥିବା ୟୁପିଏ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ୨୦୧୪ରେ ପୁଣି ଏନଡିଏ ସରକାର ଶାସନକୁ ଆସିବାରୁ  ତାହା ହୋଇପାରିନଥିଲା । ଆଉ ଏବେ ୨୦୧୯ ନିର୍ବାଚନକୁ ନଜରରେ ରଖି ଏଫସିଆଇ ସାର କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରାଯିବ ବୋଲି ବିଜେପି କହୁଥିବା ବେଳେ ଏହା କେବଳ ବିଜେପିର ରାଜନୈତିକ ଅସ୍ତ୍ର ବୋଲି କହିଛନ୍ତି କେନ୍ଦ୍ର ବିରୋଧୀ ବିଜେଡି ଓ କଂଗ୍ରେସ ।
୨୦୧୯ ସାଧାରଣ ନିର୍ବାଚନ ମୈଦାନରେ ଏଫସିଆଇ ସାର କାରଖାନାକୁ ଉଦ୍ୟମ କରୁଛି ବିଜେପି । ସାର କାରଖାନାର ପୁନରୁଦ୍ଧାର କାମର ମଙ୍ଗ ଧରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୮ରୁ ପୁନରୁଦ୍ଧାର କାମ ଆରମ୍ଭ ହୋଇ ୨୦୨୧ରେ ଶେଷ କରିବା ନେଇ ସମୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । କୋଲ ଇଣ୍ଡିଆ, ଗେଲ୍, ଆରସିଏଫ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟୋଗରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ।