ପ୍ରଥମେ ହଜିଗଲେ, କିଛି ଘଣ୍ଟା ପରେ ପୁଣି ମିଳିଲେ । ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କର ମିଳିଲା ପତ୍ତା

37

କନକ ବ୍ୟୁରୋ : ମିଳିଲା ନବୀନଙ୍କ ପତ୍ତା । ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା ମିଳିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କୋଲକାତାରେ ନବୀନ ଥିବା ନେଇ ସ୍ପଷ୍ଟ କଲେ ତାଙ୍କ ପୁଅ ସମ୍ବିତ । କିଛି ଘଣ୍ଟା ପୂର୍ବରୁ ନବୀନ ନନ୍ଦ କୋଲକାତାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ନବୀନଙ୍କ ପୁଅଙ୍କ କହିବା ଅନୁଯାୟୀ, କୋଲକାତାରେ ତାଙ୍କ ବାପାଙ୍କର କିଛି ଜିନିଷ ଚୋରି ହୋଇ ଯାଇଥିଲା । ତେଣୁ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା । ତେବେ ପରେ ହୋଟେଲରେ ପହଞ୍ଚିବା ପରେ ପରିବାର ସହ ଯୋଗାଯୋଗ କରିବାରୁ ତାଙ୍କ ବାପା ସୁରକ୍ଷିତ ଥିବା ଜାଣିଥିଲେ ସମ୍ବିତ ।

ସୂଚନା ଅନୁଯାୟୀ, କିଛି ଘଣ୍ଟା ପୂର୍ବରୁ ନବୀନ କୋଲକାତାରୁ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । କୋଲକାତାକୁ ନିଜର ବ୍ୟକ୍ତିଗତ କାମରେ ଯାଇଥିବା ନବୀନ ଆଜି ଘରକୁ ଫେରିଥାନ୍ତେ । କିନ୍ତୁ ଆଜି ସେ ଫେରିନଥିଲେ । ଏପରିକି ତାଙ୍କ ଫୋନ ମଧ୍ୟ ସୁଇଚ୍ ଅଫ୍ ଥିଲା । ତେଣୁ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଫଳରେ ତାଙ୍କ ପୁଅ ସମ୍ବିତ ଆଜି କୋଲକାତା ଯାଇଥିଲେ । ସେଠାରେ ହୋଟେଲ ରୁମରେ ମଧ୍ୟ ବାପାଙ୍କୁ ନ ପାଇବାରୁ ସେକସ୍ପିୟର ସାରଣୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଗଣମାଧ୍ୟମରେ ଖବର ପରିବେଷଣ ହେବାର କିଛି ଘଣ୍ଟା ମଧ୍ୟରେ ନବୀନଙ୍କ ପତ୍ତା ମିଳିଥିଲା ।

ସୂଚନାଯୋଗ୍ୟ ଗତ ଜୁନ ୪ରେ ନବୀନ ନନ୍ଦଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା। ଗଦିଆଁ ବ୍ଲକର ଠାକୁରପାଳ ଗାଁକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ନବୀନଙ୍କ କାର ଉପରକୁ ବୋମା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାରୁ ନବୀନ ନନ୍ଦ ବର୍ତ୍ତି ଯାଇଥିବା ବେଳେ ତାଙ୍କ କାର ପଛ ପଟ କାଚ ଭାଙ୍ଗି ଯାଇଥିଲା। ଘଟଣା ଦିନ ନବୀନ ସ୍ୱାଭିମାନ ଜନ ସଂପର୍କ ଯାତ୍ରାରେ ସାମିଲ ହେବାର ଥିଲା।