କେହି ଶୁଣୁ ନାହାନ୍ତି ଗଙ୍ଗାର ଦୁଃଖ ! ଚାଲିଛି ଅଭିଯାନ, ଖର୍ଚ୍ଚ ହୋଇସାରିଲାଣି ୩,୮୦୦ କୋଟି ଟଙ୍କା କିନ୍ତୁ ସଫା ହୋଇପାରୁନାହିଁ ପବିତ୍ର ଗଙ୍ଗା ନଦୀ ।

62

ଯେଉଁ ପାଣିକୁ ଲୋକମାନେ ଏତେ ପବିତ୍ର ବୋଲି ଭାବୁଛନ୍ତି, ସେହି ପାଣି ଦିନକୁ ଦିନ ବିଶାକ୍ତ ହେବାରେ ଲାଗିଛି । ଗଙ୍ଗା ନଦୀରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏହାର ସ୍ୱଚ୍ଛତା ଦିଗରେ କେହି ଧ୍ୟାନ ଦେଉନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ଗଙ୍ଗା ନଦୀକୁ ସଫା କରିବା ଅଭିଯାନ ମୋଦି ସରକାରଙ୍କ ପ୍ରାଥମିକତା ସୂଚୀରେ ରହିଥିଲା । ଏପରିକି ନମାମୀ ଗଙ୍ଗା ନାମରେ ଏକ ପରିଯୋଜନା ମଧ୍ୟ ଆରମ୍ଭ କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିଲେ ମଧ୍ୟ ଗଙ୍ଗାର ସ୍ଥିତି ଦେଖିଲେ ବାସ୍ତବତା ଆଖି ସାମ୍ନାକୁ ଚାଲିଆସୁଛି ।

ଏବେ ଯେତେବେଳେ ସରକାରଙ୍କ ୫ ବର୍ଷ ପୂରଣ ହେବାକୁ ଯାଉଛି, ସେତେବେଳେ ସମସ୍ତଙ୍କୁ ପଛକୁ ବୁଲି ଦେଖିବା ଆବଶ୍ୟକ ଯେ, ଗଙ୍ଗାନଦୀର ସୁରକ୍ଷାକୁ ନେଇ ଗତ ୪ ବର୍ଷରେ ସରକାର କି କି ପଦକ୍ଷେପ ନେଇଛନ୍ତି । ତେବେ ଏହା ଜାଣିବା ପାଇଁ ଯେତେବେଳେ ଏକ ଆରଟିଆଇ ତଥ୍ୟ ଦାଖଲ କରଗଲା ସେତେବେଳେ ଉତ୍ତରରେ ସରକାର କହିଲେ ଯେ, ସେ ଜାଣିନାହାନ୍ତି କି ଗଙ୍ଗାନଦୀ କେତେ ସଫା ହୋଇଛି ।

ତେବେ ନିକଟରେ ଏକ ଅରଟିଆଇ ତଥ୍ୟରୁ ଜଣାପଡିଛି ଯେ, ଗଙ୍ଗା ନଦୀକୁ ସଫା କରିବା ପାଇଁ ସରକାର ଏପର୍ଯ୍ୟନ୍ତ ୩,୮୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ତେବେ ପ୍ରଶ୍ନ ଉଠୁଛି ଏତେ ଟଙ୍କା କେଉଁ ଦିଗରେ ଖର୍ଚ୍ଚ କରାଯାଇଛି । କାରଣ ଗଙ୍ଗାର ବର୍ତ୍ତମାନର ସ୍ଥିତି ଦେଖିଲେ ଯେକେହିବି ଏହାର ବାସ୍ତବତା ବିଷୟରେ ଅନୁମାନ ଲଗାଇପାରିବେ । ତେବେ ସବୁଠାରୁ ବଡ କଥା ହେଉଛି ସରକାର ନିଜେ ମଧ୍ୟ ଜାଣିନାହାନ୍ତି ଯେ, ଗଙ୍ଗାକୁ କେତେ ସ୍ୱଚ୍ଛ କରାଯାଇଛି । ପ୍ରକୃତ ଘଟଣା ହେଉଛି ନାଳ ନର୍ଦ୍ଦମାର ସମସ୍ତ ବର୍ଜ୍ୟବସ୍ତୁ ଏବଂ ପାଣି ସିଧାସଳଖ ଯାଇ ଗଙ୍ଗାରେ ମିଶୁଥିବା କାରଣରୁ ଏହାର ପାଣି ଦିନକୁ ଦିନ ବିଶାକ୍ତ ହେବାରେ ଲାଗିଛି । ଏହାକୁ ବନ୍ଦ କରାନଗଲେ ଗଙ୍କାକୁ ସ୍ୱଚ୍ଛ କରିବା ଅସମ୍ଭବ ଅଟେ ।

ସେପଟେ ଗଙ୍ଗା ନଦୀକୁ ନେଇ ରାଜନୀତି ବଢିବାରେ ଲାଗିଛି । ଗତ ନିର୍ବାଚନରେ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ ପ୍ରତିଶୃତି ଦିଆଯାଇଥିବା ବେଳେ ସମାନ କଥା ଏଥର ମଧ୍ୟ ଶୁଣିବାକୁ ମିଳୁଛି । ୨୦୨୦ ମସିହା ପର୍ଯ୍ୟନ୍ତ ଗଙ୍ଗାର ୮୦ ପ୍ରତିଶତ ସଫା କରିବା ପାଇଁ କୁହାଯାଇଥିଲେ ହେଁ ଏଯାବତ କିଛି କାମ ହୋଇନାହିଁ । ଯୋଜନା କେବଳ ଯୋଜନାରେ ରହିଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ବାସ୍ତବରେ ଏହି ଟଙ୍କା କୁଆଡେ ଯାଉଛି ତାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।