ପୁରୀରେ କଟିବ ଡେରାର ଡେଣା! ଉଚ୍ଛେଦ ହେବ ଜବରଦଖଲ ସରକାରୀ ଜମି

69

କନକ ବ୍ୟୁରୋ : ପୁରୀରେ ଡେରାର ଡେଣା କାଟିବ ପ୍ରଶାସନ । ଜବରଦଖଲ କରିଥିବା ସମସ୍ତ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପ୍ରାରମ୍ଭିକ ପର୍ଯ୍ୟାୟରେ ମାପଚୁପ ସରିଥିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନେଇ ଚାହିଁ ବସିଛନ୍ତି ସମସ୍ତେ ।

ପୁରୀ ତହସିଲର ବେଲଦଳ ମୌଜା ବେଲେଶ୍ୱର ପାଟଣା ରାଜସ୍ୱ ଗ୍ରାମରେ ରହିଛି ଡେରା ସଚ୍ଚା ସୌଦାର ପୁରୀ ଆଶ୍ରମ । ପ୍ଲଟ ନମ୍ବର ୬୦୭ରେ ରହିଥିବା ଏହି ଆଶ୍ରମର କିସମ ବଗାୟତ ୩ ରହିଥିବା ବେଳେ ଜମିର ପରିମାଣ ୭ଏକର ୬୫୦ ଡିସିମିଲ ରହିଛି । ଏହି ଜମି ୮ଟି ପ୍ଲଟର ଏକ ଅଂଶ ବିଶେଷ ଭାବେ ରହିଛି । ଏଠାରେ ପାଖାପାଖି ୧୦ଟି ମୌଜା ଚକବନ୍ଦୀ ହୋଇଛି । ତେଣୁ ଚକବନ୍ଦୀ ସମୟରେ କିଛି ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି ।

ପ୍ରଥମେ ନକ୍ସା ମେଳକ କରାଯାଇଥିବା ବେଳେ ପରେ ପୁରୀ ତହସିଲଦାର ପ୍ରବୀର ଖିଲାରଙ୍କ ନେତୃତ୍ୱରେ ଜମି ମାପଚୁପ ହୋଇଛି । ଏକ ୫ଜଣିଆ ଟିମ ଏହି ମାପଚୁପ କରିଥିଲା । ପ୍ରବଳ ବର୍ଷାରେ ୨ଘଣ୍ଟା ଧରି ଏହି ମାପଚୁପ ହୋଇଥିବା ବେଳେ ଏହାର ରିପୋର୍ଟ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦିଆଯିବ ବୋଲି ପୁରୀ ଉପ-ଜିଲ୍ଳାପାଳ ମଧୁସୂଦନ ଦାଶ କହିଛନ୍ତି ।

ପ୍ରାରମ୍ଭିକ ମାପଚୁପରେ କିଛି ତଥ୍ୟ ହାସଲ କରିଛି ତଦନ୍ତକାରୀ ଟିମ । ମୋଟ ୪ଏକର ସ୍ଥିତିବାନ ଜମିକୁ ଚକବନ୍ଦୀରେ ନଟ ଫାଇନାଲ ଆରୋବାରରେ କବଲା କରିଛନ୍ତି । ଏହା ବ୍ୟତିରେକ ପ୍ରାୟ ୧୨ ଡିସିମିଲ ସରକାରୀ ଜମି ସେଠାରେ ଜବରଦଖଲ ହୋଇଥିବା ଜଣାପଡିଛି । ତେବେ ଏନେଇ ପୁରୀ ତହସିଲଦାରଙ୍କ ଦ୍ୱାରା ଆରଡିସିଙ୍କୁ ରିପୋର୍ଟ ଦିଆଯିବ । ଏହାପରେ ଜବରଦଖଲ ମୁକ୍ତ କରି ଉକ୍ତ ସରକାରୀ ଜମିକୁ ସରକାରଙ୍କ ଖାତାକୁ ଫେରାଇ ଆଣିବା ପାଇଁ ପ୍ରକିୟା ଆରମ୍ଭ ହେବ । ଓପିଏଲ ଆକ୍ଟ ଅନୁସାରେ ତହସିଲଦାର ଏହି ଉଚ୍ଛେଦ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ପୁରୀ ଉପ-ଜିଲ୍ଳାପାଳ ।

ଆଶ୍ରମ ୪ଏକର ଜମି କିଣି ୩ଏକର ଜମି ମାଡି ବସିଥିବା ଅଭିଯୋଗ ହୋଇଥିଲା । ଚକବନ୍ଦୀ ସମୟରେ କିଛି ଦୁର୍ନୀତି ହୋଇଥିବା ବି ଅଭିଯୋଗ ଉଠିଥିଲା । ସ୍ଥିତିବାନ ସମ୍ପତ୍ତି ସହ କିଛି ସରକାରୀ ଜମିକୁ ମିଶାଇ ଚକ କରି ନେଇଥିବା ପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ ଏହାକୁ ନେଇ ଖୋଳତାଡ କରିଛି ପ୍ରଶାସନ । ତେଣୁ ଚକବନ୍ଦୀ କାର୍ଯ୍ୟାଳୟକୁ ସବସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରୁ ରିପୋର୍ଟ ମିଳିବା ପରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରେ ।

ଏହାରି ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏଠାରେ ବର୍ଷ ବର୍ଷ ଧରି ସରକାରୀ ଜମି ଜବରଦଖଲରେ ଥିଲା । ଆଶ୍ରମକୁ ଜମି ଛାଡିବା ପାଇଁ ଲକ୍ଷଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ସେତେବେଳର ସେହି ଜବରଦଖଲ ଜମି ଏବେ ଆଶ୍ରମ କବ୍ଚାରେ ରହିଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ତେଣୁ ଖୋଳତାଡ ହେଲେ ଏକ ବଡ ଜମି ଦୁର୍ନିତୀର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଆଶ୍ରମ ୪ଏକର ଜମି କିଣିଥିବା ବେଳେ ପାଖାପାଖି ୭ଏକର ଜମି ରହିଛି ଏଠାରେ । ତେଣୁ ୩ଏକର ଜମି ସରକାରୀ ଖାତାକୁ ଫେରିବ ବୋଲି କୁହାଯାଉଛି ।

ଡେରା ସୌଚ୍ଚା ସଦା ମୁଖ୍ୟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ ପରେ ପୁରୀ କୋଣାର୍କ ଜାତୀୟ ରାଜପଥ ଧାରରେ ଥିବା ଏହି ଆଶ୍ରମ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ବେଲେଶ୍ୱର ପାଟଣାରେ ଥିବା ଏହି ଆଶ୍ରମକୁ ଉଚ୍ଛେଦ କରିବା ସହ ଏଠାରୁ ଉଠାଇ ନେବାକୁ ଦାବୀ ହୋଇଥିଲା । ପୁରୀ ସଚେତନ ନାଗରିକ ମଞ୍ଚପକ୍ଷରୁ ଆଶ୍ରମ ସାମ୍ନାରେ ବିକ୍ଷୋଭ କରାଯାଇଥିଲା । ଫଳରେ ଉତ୍ତେଜନାକୁ ଦେଖି ପ୍ରଶାସନ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ସହ ଜମି ଜବରଦଖଲ ନେଇ ତଦନ୍ତ କରୁଛି । ଖୁବଶୀଘ୍ର ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ କହିଛି ।