ସାବଧାନ ବିଦ୍ୟୁତ ବିତରଣ କମ୍ପାନୀ ! ବିଦ୍ୟୁତ କାଟ ହେବ ଅପରାଧ, ଦେବେ ଜରିମାନା । କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସୂଚନା ।

62

ବିଦ୍ୟୁତ କାଟ ହେଲେ ଜରିମାନା ଦେବେ ବିତରଣ କମ୍ପାନୀ ! ତାସହ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ । ବିଦ୍ୟୁତ ବଳକା ଥିବା ସମୟରେ ଦେଶରେ ହେଉଥିବା ଅନାବଶ୍ୟକ ବିଦ୍ୟୁତ କାଟ ଉପରେ ରୋକ ଲଗାଇବା ପାଇଁ ନୂଆ ନିୟମ ପ୍ରଣୟନ କରାଯିବ। ଏହି ନୂଆ ଆଇନ ଅନୁଯାୟୀ ୨୦୧୯ଠାରୁ ଅନାବଶ୍ୟକ ବିଦ୍ୟୁତ କାଟକୁ ଅପରାଧ ଭାବେ ବିଚାର କରାଯିବ। କେନ୍ଦ୍ରଶକ୍ତି ମନ୍ତ୍ରୀ ଆର. କେ. ସିଂହ କହିଛନ୍ତି ଯେ ଅନାବଶ୍ୟକ ବିଦ୍ୟୁତ କାଟ ହେଲେ ବିତରଣ କଂପାନିଗୁଡ଼ିକ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।ରାଜ୍ୟଗୁଡ଼ିକର ଶକ୍ତି ମନ୍ତ୍ରୀମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିବା ପରେ ଶ୍ରୀ ସିଂହ କହିଛନ୍ତି ଯେ, ୨୦୧୯ ମାର୍ଚ ସୁଦ୍ଧା ସମସ୍ତଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେବା ପାଇଁ ସରକାର ଏକ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି। ସେହି ରୋଡମ୍ୟାପର ଏକ ଅଂଶ ହେଉଛି ଏହି ପ୍ରସ୍ତାବିତ ଜରିମାନା। ବିଦ୍ୟୁତ କାଟ ପାଇଁ ବିତରଣ କଂପାନିଗୁଡ଼ିକୁ ଉତ୍ତରଦାୟୀ କରାଯିବ। ଦୈବଦୁର୍ବିପାକ କିମ୍ବା ବୈଷୟିକ କାରଣ ଯୋଗୁଁ ଯଦି ବିଦ୍ୟୁତ କାଟ ହେବ ତେବେ କୌଣସି ଜରିମାନା ଲାଗୁ କରାଯିବ ନାହିଁ।

ଏହା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଯୋଗୁଁ ଯଦି ବିଦ୍ୟୁତ କାଟ ହେବ ତେବେ ବିତରଣ କଂପାନି ଜରିମାନା ଗଣିବେ। ବିଦ୍ୟୁତ ନିୟମ ୨୦୦୩ରେ ବିଦ୍ୟୁତ ବିତରଣ କଂପାନିଗୁଡ଼ିକର ଦାୟିତ୍ୱକୁ ବାଧ୍ୟତାମୂଳକ ସେବା ଦାୟିତ୍ୱ ଭାବେ ସାମିଲ କରାଯିବ। ଚବିଶ ଘଣ୍ଟା ସମସ୍ତଙ୍କୁ ବିଦ୍ୟୁତ ପ୍ରଦାନ କରିବା ପାଇଁ ବ୍ୟବସ୍ଥାକୁ ସବୁ ସ୍ତରରେ ମଜବୁତ କରାଯିବ। ସେ କହିଛନ୍ତି ଯେ ମାନୁଆଲ ମିଟର ରିଡିଂ ଭଳି କୌଣସି ବ୍ୟବସ୍ଥା ରହିବ ନାହିଁ। ବିଦ୍ୟୁତ ବିଲ ପ୍ରଦାନରେ ଲୋକମାନଙ୍କ ସମ୍ପୃକ୍ତିକୁ ହଟାଇ ଦିଆଯିବ।

ଗ୍ରାହକମାନେ ଯେତିକି ପରିମାଣର ବିଦ୍ୟୁତ ବ୍ୟବହାର କରୁଛନ୍ତି ସେଥିପାଇଁ ସେମାନେ ମୋବାଇଲ ଜରିଆରେ ପେମେଣ୍ଟ କରିପାରିବେ। କୌଣସି ବିତରଣ କଂପାନି ବିଲିଂ କ୍ଷତି ପରିମାଣ ଗ୍ରାହକଙ୍କଠାରୁ ଆଦାୟ କରିପାରିବେ ନାହିଁ। ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସୌଭାଗ୍ୟ ଯୋଜନା ଜରିଆରେ ୪ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଧ୍ୟାନ ଦେବାକୁ ସେ ରାଜ୍ୟଗୁଡ଼ିକର ଶକ୍ତିମନ୍ତ୍ରୀମାନଙ୍କୁ କହିଛନ୍ତି। ୨୦୧୯ ସୁଦ୍ଧା ସମସ୍ତଙ୍କୁ ଚବିଶ ଘଣ୍ଟା ବିଦ୍ୟୁତ ଶକ୍ତି ପ୍ରଦାନ କରିବାକୁ ହେଲେ ବିତରଣ (ବାଣିଜ୍ୟି ଓ ବୈଷୟିକ) କ୍ଷତିକୁ କମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ୧୬-୧୭ଟି ଏଭଳି ରାଜ୍ୟ ରହିଛନ୍ତି ଯେଉଁଠାରେ ବିତରଣ କ୍ଷତି ପରିମାଣ ୧୫%ରୁ ଅଧିକ ରହିଛି। ଏହାକୁ ୧୫%ରୁ କମ କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି।