ସରଗରମ ଯାଜପୁର ରାଜନୀତି ! କେନ୍ଦ୍ରୀୟ ଯୋଜନାକୁ ନେଇ ଭୋଟରଙ୍କୁ ଭେଟୁଛନ୍ତି ବିଜେପି ପ୍ରାର୍ଥୀ, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେତା-କର୍ମୀଙ୍କ ଅପେକ୍ଷା ।

276

କନକ ବ୍ୟୁରୋ : ସରଗରମ ଯାଜପୁର ରାଜନୀତି । ଯାଜପୁର ନିର୍ବାଚନ ମଣ୍ଡଳି ପାଇଁ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କୁ ପ୍ରାର୍ଥୀ କରିଛି । ଟିକେଟ ପାଇବା ପରେ ଗୌତମ ପ୍ରଚାର ଚଳାଇଥିବା ବେଳେ ଏଯାଏଁ କଂଗ୍ରେସ କିମ୍ବା ବିଜେଡି ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବର୍ତମାନର ବିଧାୟକ ପ୍ରଣବ ପ୍ରକାଶ ଦାସ ଏଥର କୋରେଇ ନିର୍ବାଚନ ମଣ୍ଡଳୀକୁ ଯିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଦଳର ଟିକେଟ ଦୌଡରେ ଏଆଇସିସି ସଦସ୍ୟ ପୁଲିନ ପୁହାଣ ଓ ଗତ ନିର୍ବାଚନରେ ଲଢ଼ିଥିବା ସନ୍ତୋଷ ନନ୍ଦ ରହିଛନ୍ତି । ଯାଜପୁର ଆସନ ପାଇଁ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନ ତାରିଖ ଯେତିକି ପାଖଉଛି ଯାଜପୁର ବିଧାନସଭା ଆସନ ପାଇଁ ରାଜନୀତି ସେତିକି ଉଷ୍ମ ହେଉଛି । ଯାଜପୁର ପାଇଁ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ବଦଳିଛି ରାଜନୈତିକ ପାଣିପାଗ । ରାଜ୍ୟ ସରକାରଙ୍କ ବିପଂଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ପସଙ୍ଗ କରି ଗୌତମ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ସେପଟେ କଂଗ୍ରେସ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିବା ବେଳେ ଟିକେଟ ଦୌଡରେ ଅଛନ୍ତି ଗତ ନିର୍ବାଚନ ପ୍ରାର୍ଥୀ ସନ୍ତୋଷ ନନ୍ଦ ଓ ଏଆଇସିସି ସଦସ୍ୟ ପୁଲିନ ପୁହାଣ  ।

ଯାଜପୁର ନିର୍ବାଚନ ମଣ୍ଡଳୀ ଯାଜପୁର ଓ ଦଶରଥପୁର ବ୍ଲକ ସହ ଯାଜପୁର ପୈାରପାଳିକାକୁ ନେଇ ଗଠିତ  । ସାଧାରଣବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଏହି ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ହେବ ଅଣ କଂଗ୍ରେସ ହାତରେ ରହିଛି । ୨୦୧୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ୧ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ଚଳିତ ନିର୍ବାଚନରେ ପ୍ରଣବ ପ୍ରକାଶ ହାଟ୍ରିକ କରିବା ଲକ୍ଷ୍ୟରେ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏଥର ବିଜେଡି ତାଙ୍କୁ କୋରେଇରୁ ପ୍ରାର୍ଥୀ କରିବା ସହ ଯାଜପୁର ଆସନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ଯୋଜନା କରୁଥିବା ଯାଜପୁର ବିଜେଡି ସଭାପତି କହିଛନ୍ତି । ଯାଜପୁରର ବିକାଶ ଓ ପ୍ରଣବ ପ୍ରକାଶଙ୍କ ବ୍ୟକ୍ତିତ୍ୱ ଯୋଗୁଁ ଦଳ ଯେକୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେବି ସେ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର । ଯାଜପୁର ବିଜେଡି ଜିଲ୍ଲା ସଭାପତିଙ୍କ କଥା ଯଦି ସତ ହୁଏ ତେବେ ଯାଜପୁରରେ ଏକ ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହେବ ।