ପେଟପୁରା ଖାଆନ୍ତୁ ଆଉ ନିଜ ଇଚ୍ଛାରେ ଟଙ୍କା ଦିଅନ୍ତୁ ! କେରଳରେ ଖୋଲିଲା ‘ଜନତା ଭୋଜନାଳୟ’, କ୍ଷୁଧାମୁକ୍ତ ରାଜ୍ୟ ପାଇଁ ଅଭିଯାନ ଆରମ୍ଭ

28

ଆଜିକାଲିର ମହଙ୍ଗା ଯୁଗରେ ନିଜ ପରିବାର ପାଇଁ ଦାନା ଗଣ୍ଡେ ଯୋଗାଇବା ବେଳେବେଳେ କଷ୍ଟକର ହୋଇପଡ଼ୁଛି । ଭଲରେ ଗଣ୍ଡେ ଖାଇଲେ, ଭଲରେ ପିନ୍ଧିବା ପାଇଁ ମିଳୁନି । ପନିପରିବା ଠାରୁ ଆରମ୍ଭ କରି ପୋଷାକପତ୍ର, ରାସନ ସାମଗ୍ରୀ ଆଉ ତୈଳଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଅନ୍ୟପଟେ ରେଷ୍ଟୁରାଂଟରେ ଖାଇବା ମଧ୍ୟ ଖୁବ ମହଙ୍ଗା ହୋଇପଡ଼ିଛି । ତେବେ ଏହି ମହଙ୍ଗା ଯୁଗରେ ଭାରତରେ ଏପରି ଏକ ରେଷ୍ଟୁରାଂଟ ଅଛି, ଯେଉଁଠି ମନ ଇଚ୍ଛା ଖାଇବାର ସୁଯୋଗ ମିଳୁଛି । ଆଉ ଆପଣ ମନ ଇଚ୍ଛା ପେଟପୁରାଇ ଖାଦ୍ୟ ଖାଇ ସାରିବା ପରେ ଟଙ୍କା ବି ନିଜ ଇଚ୍ଛାରେ ଦେଇପାରିବେ । ଯଦି ଇଚ୍ଛା ନାହିଁ ତେବେ ଟଙ୍କା ନଦେଲେ ମଧ୍ୟ କେହି କିଛି କହିବେ ନାହିଁ ।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିବେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ବର୍ତ୍ତମାନ ସମୟରେ ପେଟପୁରା ଖାଦ୍ୟ ଖାଇବା ପାଇଁ ୫୦ରୁ ୧୦୦ ଟଙ୍କା ଦେଲେ ମଧ୍ୟ ଭଲରେ ଗଣ୍ଡେ ଖାଇବା ପାଇଁ ମିଳୁନି । ତେବେ କେରଳର ଅଲପ୍ପୁଝା ଜିଲ୍ଲାରେ ଏକ ଏପରି ରେଷ୍ଟୁରାଂଟ ଖୋଲା ହୋଇଛି । ଏହି ରେଷ୍ଟୁରାଂଟରେ ଆପଣ ନିଜ ଇଚ୍ଛାରେ ଖାଦ୍ୟ ଖାଇ, ଟଙ୍କା ବି ନିଜ ଇଚ୍ଛାରେ ପଇଠ କରିପାରିବେ । ଆପଣ ଚାହିଁଲେ ଟଙ୍କା ନଦେଇ ଖାଦ୍ୟ ଖାଇ ପାରିବେ ।

ଏହି ରେଷ୍ଟୁରାଂଟର ନାମ ହେଲା ‘ଜନକୀୟ ଭକ୍ଷଣଶାଳା’ ତଥା ‘ଜନତା ଭୋଜନାଳୟ’ । ଆଉ ଏହି ରେଷ୍ଟୁରାଂଟର ଲକ୍ଷ୍ୟ ହେଲା ଯେତିକି ଇଚ୍ଛା ସେତିକି ଖାଆ ଆଉ ଯେତିକି ଇଚ୍ଛା ସେତିକି ଦିଅ । । ରେଷ୍ଟୁରାଂଟର ମାଲିକଙ୍କ କହିବା ଅନୁସାରେ ସେ କ୍ଷୁଧାମୁକ୍ତ ରାଜ୍ୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛନ୍ତି । ୩ ମାର୍ଚ୍ଚ ଠାରୁ ରେଷ୍ଟୁରାଂଟରେ ସାଧାରଣ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଇବା ସେବା ଆରମ୍ଭ କରିଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ମଧ୍ୟ ଏନେଇ ନିଜ ଫେସବୁକ୍ ପେଜରେ ଉଲ୍ଲେଖ କରିଛନ୍ତି । ଏହି ରେଷ୍ଟୁୁରାଂଟରେ ଖାଦ୍ୟ ଖାଇବା ପରେ କାଉଁଟରରେ କେହି ବସି ନଥାନ୍ତି । ଆପଣ ଯାହା କିଛି ଦେବା ପାଇଁ ଚାହୁଁଛନ୍ତି କାଉଁଟରରେ ରଖା ହୋଇଥିବା ବାକ୍ସରେ ଦେଇପାରିବେ । ଯେଉଁ ଲୋକଙ୍କ ପାଖରେ ଟଙ୍କା ନାହିଁ, ସେମାନେ ଖାଇବା ପରେ ଟଙ୍କା ନଦେଇ ମଧ୍ୟ ଯାଉଛନ୍ତି ।

ସୂଚନା ଅନୁସାରେ ଉଲପ୍ପୁଝା-ଚେରଥାଲା ରାଜପଥରେ ସ୍ଥିତ ଏହି ରେଷ୍ଟୁରାଂଟରେ ଏକ ଆଧୁନିକ ରୋଷେଇ ଘର ଅଛି । ଯେଉଁଠି ୨୦୦୦ ଲୋକଙ୍କ ଭୋଜନ ପ୍ରସ୍ତୁତ କରାଯାଏ । ୧୧.୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ରେଷ୍ଟୁରାଂଟ ।