ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ! ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକ ଦେବେ ଦୁଇଗୁଣା ଜରିମାନା

106

କନକ ବ୍ୟୁରୋ : ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେଉଥିବା ଜରିମାନା ଆଉ ମାନୁଆଲ ଚାଲାଣରେ ଆଦାୟ ହେବନି । ସମସ୍ତ ଜରିମାନା ଡିଜିଟାଲ ମୋଡ୍‌ରେ ପୈଠ ହେବ । କାଗଜ ରସିଦ୍‌ର ଅପବ୍ୟବହାର ହେବାରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଏହି ମୋଟର ଯାନ ଆଇନକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକ ଏଥର ଦୁଇଗୁଣା ଜରିମାନା ଦେବେ । ଏହି ଅପରାଧ ସବୁର ଅନ୍‌ଲାଇନ୍‌ ରେକର୍ଡ ରଖାଯିବାର ବ୍ୟବସ୍ଥା ଅଛି ।

ଡିଜିଟାଲ ମୋଡ୍‌ରେ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ସହ ନଗଦ ଅର୍ଥ ସଂଗ୍ରହ କରାଯିବ । ଏହି ବ୍ୟବସ୍ଥାକୁ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସଂଯୋଗୀକରଣ କରାଯିବ । ଫଳରେ ଅପରାଧ ପଞ୍ଜୀକରଣ ହେଲେ ସମ୍ପୃକ୍ତ ବିଭାଗଗୁଡ଼ିକ ପାଖରେ ତତ୍‌କ୍ଷଣାତ୍‌ ଖବର ପହଞ୍ଚିବ । ତା ଛଡ଼ା ଚାଳକ ଅପରାଧ ଘଟାଇଲେ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ମାଲିକ ପାଖରେ ଖବର ପହଞ୍ଚିବ । ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଏହି ଜରିମାନା ଅର୍ଥ ଜମା ହେବ ।

ଏହି ବ୍ୟାଙ୍କ୍‌ ପକ୍ଷରୁ ୧୯୫ ଟି ମୋବାଇଲ୍‌ ଇ ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି । ୩୦ ଜିଲ୍ଲାର ୩୬ ଆରଟିଓଙ୍କୁ ୧୬୨ଟି ପିଓଏସ୍‌ ମେସିନ୍‌ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ଏହି ବ୍ୟବସ୍ଥାକୁ ଜୟଦେବ ଭବନର ଗୀତଗୋବିନ୍ଦ କକ୍ଷରେ ଆଜି ମନ୍ତ୍ରୀ ଶ୍ରୀ ସାହୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ ଚାଲାଣ କଟା ଯାଉଥିବା ସ୍ଥାନର ତଥ୍ୟ, ଆଇନ ଉଲ୍ଲଂଘନ କରିଥିବା ଯାନ ତଥା ଚାଳକଙ୍କ ଫଟେଶ ଉଠାଯିବ ।

ଫଳରେ ଥରେ ଅପରାଧ ଘଟାଇଲେ ପରବର୍ତୀ ସମୟରେ ଚାଳକ ପୁନରାବୃତ୍ତି କରିବାକୁ ଡରିବ। ତା ସହିତ ଏହି ବ୍ୟବସ୍ଥାକୁ ‘ବାହନ’ ଓ ‘ସାରଥି’ ଆପ୍ଲିକେସନ୍‌ର ସର୍ବଭାରତୀୟ ଡାଟାବେସ୍‌ ସହ ସଂଯୁକ୍ତ କରାଯାଇଛି । ରାଜ୍ୟ ବାହାରେ ଏଭଳି ଆଇନ ଉଲ୍ଲଂଘନ କରି ଦଣ୍ଡିତ ହୋଇଥିଲେ ଏଠାରେ ଜଣାପଡ଼ିବ।  ଏଣୁ ସେହି ଅନୁସାରେ ଜରିମାନା ଅର୍ଥ ଦ୍ବିଗୁଣିତ ହୋଇଯିବ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ, ଏନ୍‌ଆଇସି ଉପ ମହାନିର୍ଦ୍ଦେଶକ ଗୌତମ ଘୋଷ, ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା, ଏଚ୍‌ଏଫ୍‌ଡିସି ବ୍ୟାଙ୍କ୍‌ ଆଞ୍ଚଳିକ ମୁଖ୍ୟ ଦେବାଶିଷ ସେନାପତି ପ୍ରମୁଖ ଯୋଗଦେଇ ଥିବା ବେଳେ ଚିତ୍ତରଞ୍ଜନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।