ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ‘ABVP’ର ବାଜିମାତ । ଗୋଟିଏ ସିଟରେ ସନ୍ତୁଷ୍ଟ ହେଲା କଂଗ୍ରେସ ସମର୍ଥିତ ଛାତ୍ର ସଙ୍ଗଠନ NSUI

35

କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍ । ଏହି ନିର୍ବାଚନରେ ଏବିଭିପି ୩ଟି ପଦରେ ଜିତି ଥିବା ବେଳେ ଗୋଟିଏ ସିଟରେ ସନ୍ତୁଷ୍ଟ ହୋଇଛି ଏନଏସୟୁଆଇ । ତେବେ ବାମଦଳ ଓ ଆପର ଛାତ୍ର ସଙ୍ଗଠନ ଗୁଡିକ ମିଳିତ ଭାବେ ନିର୍ବାଚନ ଲଢିଥିଲେ ମଧ୍ୟ ଗୋଟିଏ ବି ସିଟରେ ଜିତିବାକୁ ସକ୍ଷମ ହୋଇନଥିଲେ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ନିର୍ବାଚନରେ ସଭାପତି ପଦରେ ଏବିଭିପି ପ୍ରାର୍ଥୀ ଅଙ୍କିତ ବସୋୟା ବିଜୟୀ ହୋଇଥିବା ବେଳେ ଉପସଭାପତି ଓ ସହ-ସାଧାରଣ ସଂପାଦକ ପଦ ମଧ୍ୟ ଏବିଭିପି ଖାତାକୁ ଯାଇଛି । ତେବେ କେବଳ ସଂପାଦକ ପଦରେ କଂଗ୍ରେସର ଛାତ୍ର ସଙ୍ଗଠନ ଏନଏସୟୁଆଇର ପ୍ରାର୍ଥୀ ଆକାଶ ଚୌଧୁରୀ ବିଜୟୀ ହୋଇଛନ୍ତି । ଫଳାଫଳ ଘୋଷଣାର କିଛି ସମୟ ପୂର୍ବରୁ ଇଭିଏମ ମେସିନରେ ଗଡବଡ ହୋଇଥିବା ଯୋଗୁଁ ଭୋଟ ଗଣନାକୁ କିଛି ସମୟ ବନ୍ଦ କରାଯାଇଥିଲା । ଯାହାକୁ ନେଇ ଛାତ୍ର ସଙ୍ଗଠନ ଗୁଡିକ କ୍ୟାମ୍ପସ ପରିସରରେ ହଙ୍ଗାମା ସୃଷ୍ଟି କରିଥିଲେ । ଏପରିକି ପୁର୍ନବାର ନିର୍ବାଚନ କରିବାକୁ ଏନଏସୟୁଆଇ ଅଡି ବସିଥିଲା । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ପୁଣିଥରେ ଗଣନା ଆରମ୍ଭ ହୋଇଥିଲା ।

ଏନଏସୟୁଆଇ ସଙ୍ଗଠନ ଅଭିଯୋଗ ସହ କହିଛି ଯେ, ଆମେ ସଭାପତି ଓ ସଂପାଦକ ପଦରେ ବିଜୟୀ ହେବୁ ବୋଲି ଆଶା ଥିଲା । ଏପରିକି ଗଣନାର ପ୍ରାଥମିକ ପର୍ଯ୍ୟାୟରେ ମଧ୍ୟ ଆମ ପ୍ରାର୍ଥୀ ଆଗୁଆ ଥିଲା ତେବେ ଏହି ସମୟରେ ଏଭିଏମ ହଠାତ୍ ଖରାପ ହୋଇଥିଲା । ଯାହା ଦର୍ଶାଉଛି ଯେ, ଏଭିଏମରେ କୌଣସି ଗଡବଡ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ମତଦାନ ହୋଇଥିଲା ।