ନକଲି ଥ୍ରୀ-ଷ୍ଟାର ପୋଲିସ ମାଡାମକୁ ହାତକଡି ପିନ୍ଧାଇଲା ଅସଲି ପୋଲିସ । ବନ୍ଧା ହୋଇଥିବା ଅଭିଯୁକ୍ତଙ୍କୁ ଛଡାଇବାକୁ ବର୍ଦ୍ଦି ପିନ୍ଧି ଯାଇଥିଲେ ଥାନା

42

କନକ ବ୍ୟୁରୋ : ଦେହରେ ପୁଲିସ ବର୍ଦ୍ଦି, କାନ୍ଧରେ ଥ୍ରୀ-ଷ୍ଟାର । ପରିଚୟ ଦେଉଥିଲେ ମାଲଗୋଦାମ୍ ଥାନାର ଏଏସଆଇ । ଆଉ ବହୁରୂପୀ ଏଣ୍ଡୁଅ ଭଳି ବଦଳୁଥିଲା ନାଁ । କେତେବେଳେ ମିନାକ୍ଷୀ ସ୍ୱାଇଁ, ତ’ ଆଉ କେତେବେଳେ ଲକ୍ଷ୍ମୀ ପ୍ରିୟା ମଲ୍ଲିକ । ଏକାଧିକ ନାଁ କହି ଗଣେଷ ପୂଜା ଭଷାଣୀ ବେଳେ ଡ୍ୟୁଟି କରୁଥିବା ନକଲି ମହିଳା ପୁଲିସ୍ ଅଧିକାରୀଙ୍କୁ ଗିରଫ କରିଛି ଅସଲି ପୁଲିସ ।

ଗତ ୭ ତାରିଖରେ ଚୌଦ୍ୱାର ବିରାଟ୍ ବଜାରରେ ଡ୍ୟୁଟି କରୁଥିବା ବେଳେ ସନ୍ଦେହ ଘେରକୁ ଆସିଥିଲେ ଏହି ନକଲି ପୁଲିସ୍ ଏଏସଆଇ । ଚୌଦ୍ୱାର ଗୋପାଳ ସାହିରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ଏହି ମହିଳା ଜଣକ ଭଡାରେ ରହୁଥିଲେ । ଆଉ ବେଳକାଳ ଦେଖି ନକଲି ବର୍ଦ୍ଦି ପିନ୍ଧି ନିଜର କାରନାମା ଦେଖାଉଥିଲେ ।

ସୁଲତାନା ବେଗମ । ଘର ବାଲିଆ, କେନ୍ଦ୍ରାପଡ଼ା । ଗିରଫ ହୋଇଥିବା ଏହି ମହିଳା ଜଣଙ୍କର ଇଏ ହେଉଛି ଅସଲି ପରିଚୟ । ପୁଲିସ୍ ଠାଣି ଦେଖାଇ ଗଣେଷ ଭଷାଣି ବେଳେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଛାଡି ଦେବା ପାଇଁ ମଧ୍ୟ ଥାନାକୁ ଯାଇ କହିଥିଲେ । ହେଲେ ଯେତେବେଳେ ତାଙ୍କ ପରିଚୟ ସାମ୍ନାକୁ ଆସିଲା ନକଲି ପୁଲିସ୍ ଅସଲି ପୁଲିସ୍ ହାତରେ ବନ୍ଧା ହୋଇଛନ୍ତି ।

କେଇ ମାସ ହେଲା ଚୌଦ୍ୱାର ଗୋପାଳ ସାହିରେ ଭଡ଼ାରେ ରହୁଥିବା ଏହି ମହିଳା ଜଣକ ମିଛ ପରିଚୟ ଦେଇ ରହି ଆସୁଥିଲେ । ଏମିତି କି ମହିଳା ଜଣକ କ’ଣ କରନ୍ତି ଏବଂ ଘର କେଉଁଠି ତାହା ବି ଜାଣି ନଥିଲେ ଭଡ଼ା ଦେଇଥିବା ମାଲିକ । ନକଲି ମହିଳା ପୁଲିସ୍ ସୁଲତାନାଙ୍କୁ, ପୁଲିସ୍ ଗିରଫ କରିବା ସହ ଆଇପିସିର ଧାରା ୪୧୯ ଏବଂ ୪୨୦ରେ କୋର୍ଟ ଚାଲାଣ କରିଛି ।