ଭିକାରୀଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ଡାକ୍ତର ! ୪୦ଜଣ ଭିକାରୀଙ୍କୁ କଲେଣି ବ୍ୟବସାୟୀ ।

48
ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହା ଯାଇଥାଏ । ଏହି କଥାଟିକୁ ସତ ପ୍ରମାଣ କରିଛନ୍ତି ପୁଣେର ଜଣେ ଡ଼ାକ୍ତର । ଏମବିବିଏସ୍ ଶେଷ କରି ତାଙ୍କ ସାଙ୍ଗ ସାଥୀମାନେ ଚାକିରି କରିଥିବା ବେଳେ ଏହି ଡ଼ାକ୍ତରଙ୍କ ଲକ୍ଷ୍ୟ ଥିଲା କିଛି ଅଲଗା । ଚାକିରି ଛାଡ଼ି ସେ ଗାଁ ଗାଁ ବୁଲିବା ଆରମ୍ଭ କରିଥିଲେ । ସମସ୍ତଙ୍କର ଟଙ୍କା ଆୟ କରିବାର ଲକ୍ଷ୍ୟ ଥିବା ବେଳେ ଡ଼ାକ୍ତର ଅଭିଜିତଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ପାଠ ପଢ଼ା ସାରି ସେ ଗାଁ ଗାଁ ବୁଲି ଚିକିତ୍ସା କରିବେ ବୋଲି ମନସ୍ଥ କଲେ । ଏହା ସହ ଅତି କମ ମୂଲ୍ୟରେ କିପରି ସେ ଲୋକମାନଙ୍କର ଚିକିତ୍ସା କରି ପାରିବେ ସେ ନେଇ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।
ପ୍ରତି ଘରୁ ଯେତେ ଜଣଙ୍କର ଚିକିତ୍ସା କଲେ ମଧ୍ୟ ସେ ୫ଟଙ୍କା ଆଣିବେ ବୋଲି ମନସ୍ଥ କରିବା ସହ ପ୍ରତିଦିନ ୬୦ରୁ ୬୫ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଦିନକୁ ତାଙ୍କର ୩୦ରୁ ୩୫ଟଙ୍କା ଆୟ ହେଉଥିଲା । କିଛି ଦିନ ଏପରି କରିବା ପରେ ତାଙ୍କ ପାଖରେ ଟଙ୍କାର ଅଭାବ ଦେଖା ଦେଇଥିଲା । ଏମିତି କି ସେ ସବୁ କିଛି ଛାଡ଼ି କେଉଁ ଆଡ଼େ ଚାଲି ଯିବେ ବୋଲି ମଧ୍ୟ ଭାବିଥିଲେ ।
ଦିନେ ତାଙ୍କ ପାଖରେ ଖାଇବାକୁ ଟଙ୍କା ନଥିବା ବେଳେ ଜଣେ ବୟସ୍କ ଦମ୍ପତି ଆସି ତାଙ୍କୁ ଖାଇବାକୁ ଦେବା ସହ ତାଙ୍କ କାମ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ । ଦମ୍ପତିଙ୍କଠାରୁ ନିଜ କାମର ପ୍ରଶଂସା ଶୁଣି ଅଭିଜିତଙ୍କ ମନରେ ପୁଣି ଥରେ ସେହି କାମ କରିବା ପାଇଁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା । ନିଜ ଚେଷ୍ଟା ବଳରେ ଦୁଇ ବର୍ଷ ପରେ ସୋହମ୍ ଟ୍ରଷ୍ଟ ନାମକ ଏକ ଏନଜିଓ ଆରମ୍ଭ କରିଥିଲେ । ଏହି ଏନଜିଓ ମାଧ୍ୟମରେ ଅଭିଜିତ୍ ମନ୍ଦିର ଓ ରାସ୍ତା କଡ଼ରେ ଥିବା ଭିକାରିମାନଙ୍କୁ ଆଣି ସେମାନଙ୍କୁ କାମ ଦେବା ଆରମ୍ଭ କରିଥିଲେ । ଭିକ ମାଗିବା ଛାଡ଼ି ସେମାନେ ନିଜର କିଛି ବ୍ୟବସାୟ ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେବା ସହ ଅଭିଜିତ୍ ସେମାନଙ୍କୁ ଫୁଲ ବିକିବା ଏବଂ ଦୀପ ତିଆରି କରିବା ଭଳି କାମ ଶିଖାଇ ଥିଲେ । ଯାହା ମାଧ୍ୟମରେ ସେମାନେ ଆତ୍ମନିର୍ଭରଶୀଳ ହେବାକୁ ଆରମ୍ଭ କରିଥିଲେ । ଏ ପର୍ୟ୍ୟନ୍ତ ଏହି ଏନଜିଓ ମାଧ୍ୟମରେ ଅଭିଜିତ୍ ୩୭ରୁ ୪୦ ଲୋକଙ୍କୁ ଭିକାରିରୁ ଛୋଟ ବ୍ୟବସାୟୀ ବନାଇ ପାରିଥିବା ଜଣା ପଡ଼ିଛି ।