ଟ୍ରେନରେ ଯାତ୍ରା କରୁଛନ୍ତି କି ? ଜାଣି ରଖନ୍ତୁ କିଛି ଜରୁରୀ ନିୟମ, ଟିଟିଇ କରିବେନି ହଇରାଣ, ଶୀଘ୍ର ଫେରିପାଇବେ ଟଙ୍କା

52

ଭାରତରେ ଅଧିକାଂଶ ଲୋକ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ରେଳବିଭାଗର ନିୟମ ବିଷୟରେ ଆଦୌ ଜାଣିନଥାନ୍ତି । ରେଳବିଭାଗର ଏମିତି ଅନେକ ନିୟମ ଅଛି ଯାହା ଜାଣିବା ସାଧାରଣ ଲୋକ ପକ୍ଷେ ନିତାନ୍ତ ଆବଶ୍ୟକ । ଆଉ ଏହି ନିୟମ ଜାଣିଥିଲେ ଆପଣଙ୍କୁ ଟ୍ରେନ ଯାତ୍ରାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଆସନ୍ତୁ ଜାଣିବା ରେଳବିଭାଗର କିଛି ଏମିତି ନିୟମ ବିଷୟରେ ଯାହା ଆପଣଙ୍କୁ ରେଳ ଯାତ୍ରାରେ ସହାୟକ ହେବ ।

ଯଦି କୌଣସି ଯାତ୍ରୀ ଟିକେଟ କରିବା ସତ୍ତେ୍ୱ ମଧ୍ୟ ଯାତ୍ରା କରୁନଥାନ୍ତି ତେବେ ଟିଟିଇ ସେହି ସିଟକୁ ଆଗାମୀ ଦୁଇଟି ଷ୍ଟପେଜ ପର୍ଯ୍ୟନ୍ତ କାହାକୁ ଦେଇ ପାରିବେ ନାହିଁ । ଏହାଛଡ଼ା ଟିଟିଇ ଟ୍ରେନ ଛାଡ଼ିବାର ଏକ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଯଦି ଆପଣ କୌଣସି ଷ୍ଟେସନରେ ଟ୍ରେନ ମିସ କରୁଛନ୍ତି ତେବେ ଆଗାମୀ ଦୁଇଟି ଷ୍ଟେସନରେ ପହଞ୍ଚି ଟ୍ରେନକୁ ଧରିପାରିବେ । ଏହା ବ୍ୟତୀତ ଯଦି ଆପଣ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ ଛାଡ଼ି ଦେଇଥାଏ ତେବେ ସର୍ବପ୍ରଥମେ ଟିଡ଼ିଆର ଫାଇଲ କରିବାକୁ ପଡ଼ିବ । ଏହାଦ୍ୱାରା ଯାତ୍ରୀ ଟିକେଟ ମୂଲ୍ୟର ୫୦ ପ୍ରତିଶତ ଫେରି ପାଇବେ ।

ରେଳବାଇର ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀଙ୍କୁ ମଝି ବର୍ଥରେ ଟିକେଟ ମିଳିଥାଏ ତେବେ ସେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜ ସିଟରେ ଶୋଇପାରିବେ । ଏହାପରେ ସିଟକୁ ତଳକୁ କରିବାକୁ ପଡ଼ିବ । ଫଳରେ ଅନ୍ୟ ଯାତ୍ରୀ ମାନେ ସିଟରେ ଆରାମରେ ବସିପାରିବେ । ଏହାଛଡ଼ା ଯଦି ଆପଣଙ୍କ ଟିକେଟ ହଜିଯାଇଛି, ତେବେ ଯାତ୍ରା କରିବାର ୨୪ ଘଣ୍ଟା ପୂର୍ବରୁ ଷ୍ଟେସନକୁ ଯାଇ ମୁଖ୍ୟ ଆରକ୍ଷଣ ସୁପରଭାଇଜରଙ୍କ ପାଖକୁ ଯାଇ ଡୁପ୍ଲିକେଟ ଟିକେଟ ଦେବା ପାଇଁ ଆବେଦନ କରିପାରିବେ । ଏହା ବାବଦରେ ଯାଞ୍ଚ କରିବା ପରେ ଡୁପ୍ଲିକେଟ ଟିକେଟ ଆବଣ୍ଟିତ କରାଯାଏ ।
ଯଦି କୌଣସି ପ୍ରାକୃତିକ ବିତ୍ପାତ ବା ଅନ୍ୟ କୌଣସି ସମସ୍ୟା ପାଇଁ ଟ୍ରେନ ଗନ୍ତବ୍ୟସ୍ଥଳ ପୂର୍ବରୁ ଅଟକିଯାଏ । ତେବେ ଏହା ବାବଦକୁ ମଧ୍ୟ ଯାତ୍ରୀ ଚାହିଁଲେ ରିଫଣ୍ଡ ପାଇଁ ଆବେଦନ କରିପାରିବେ । ଆଉ ସବୁଠୁ ବଡ଼ କଥା ହେଲା, ରାତି ୧୦ଟା ପରେ ଟିଟିଇ ଆପଣଙ୍କୁ କୌଣସି ପ୍ରକାର ଯାଞ୍ଚ କରିପାରିବେ ନାହିଁ । ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ହିଁ ଟିଟିଇ ଟିକେଟ ଯାଞ୍ଚ କରିପାରିବେ । ରାତିରେ କୌଣସି ଯାତ୍ରୀଙ୍କୁ ନିଦରୁ ଉଠାଇ ଯାଞ୍ଚ କରିପାରିବେ ନାହିଁ ଟିଟିଇ ।