ପଶୁପକ୍ଷୀଙ୍କର କ୍ଷତି ସାଧନ କରିପାରେ ଦୀପାବଳି !

72

ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ପରିବେଶ ପାଇଁ ଯେତିକି କ୍ଷତିକାରକ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ତା’ଠାରୁ ବଳି କ୍ଷତିକାରକ ହୋଇ ପାରେ । ଆତସବାଜି ବିସ୍ଫୋରଣ ଯୋଗୁଁ ପଶୁପକ୍ଷୀମାନଙ୍କର ଦୃଷ୍ଟି ଓ ଶ୍ରବଣ ଶକ୍ତି ହ୍ରାସ ପାଇବା ସହ ତାଙ୍କଠାରେ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୈରାଗ ସୃଷ୍ଟି ହୋଇପାରେ । ଦୀପାବଳି ଅବସରରେ ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ଆତସବାଜି ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ଦୀପାବଳି ପରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏ ଭଳି ନିଷ୍ପତ୍ତି ନିଆଯାଇଛି ।

ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରୁଥିବା ବାଣ ଏବଂ ଅଧିକ ଧୂଆଁ କରାଉଥିବା ବାଣର ବ୍ୟବହାର କମ୍‌ କରାଯିବା ଉଚିତ । କାରଣ ଏହା ପଶୁପକ୍ଷୀମାନଙ୍କ ପ୍ରତି କ୍ଷତିକାରକ । ଦୀପାବଳି ଆଲୋକ ଏବଂ ଆନନ୍ଦର ପର୍ବ ହୋଇଥିଲେ ବି ଲୋକମାନେ ଏହାକୁ ଶବ୍ଦ ଏବଂ ଧୂଆଁ କରି ପକାଉଛନ୍ତି ବୋଲି ଅମ୍ବିକା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ବାଣ ବିକ୍ରୟ ଉପରେ ଯେମିତି କଟକଣା ଲାଗୁ କରାଯାଇଛି ସେମିତି ପ୍ରତ୍ୟେକ ରାଜ୍ୟରେ କଟକଣା ଲାଗୁ କରାଯିବା ଉଚିତ । ଏହାଦ୍ୱାରା ପ୍ରଦୂଷଣ ଅଟକିବା ସହ ଏଥିଯୋଗୁଁ ପଶୁପକ୍ଷୀମାନଙ୍କ ପ୍ରତି ପଡୁଥିବା ବିପଦ୍‌କୁ ମଧ୍ୟ ଅଟକା ଯାଇ ପାରିବ । ଲୋକେ ପଶୁମାନଙ୍କ ଦେହରେ ବାଣ ଖଞ୍ଜି ଯେମିତି ନାନା ପ୍ରକାର ଭିଡିଓ ସେୟାର୍‌ କରୁଛନ୍ତି, ସେମିତି କରିବା ଅନୁଚିତ ।

ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଦୀପାବଳି ଦିନ ଅଧିକ ଆହତ ପଶୁଙ୍କ ମାମଲା ଆସୁଛି । ଗ୍ରାମାଞ୍ଚଳରେ ଅଧିକ ଗଛ ଥିବାରୁ ସେସବୁ ବାଣ ବିସ୍ଫୋରଣରୁ ନିର୍ଗତ ରାସାୟନିକ ପଦାର୍ଥ ସବୁକୁ ବିଶୋଷିତ କରିପକାନ୍ତି। କିନ୍ତୁ, ସହରାଞ୍ଚଳରେ ସେମିତି ହୁଏ ନାହିଁ । କୁକୁରମାନଙ୍କର ହୃତ୍‌ପିଣ୍ଡ ଅତି ଦୁର୍ବଳ ହୋଇ ଥିବାରୁ କମ୍‌ ବାଣ ଫୁଟାଇବା ଉଚିତ । କେତେକ ଛୋଟ ଛୋଟ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ନ୍ତି । ତା’ଛଡ଼ା ବାଣ ବିସ୍ଫୋରଣ ଯୋଗୁଁ ହେଉଥିବା ପ୍ରଦୂଷଣ ସେମାନଙ୍କ ଶ୍ୱାସତନ୍ତ୍ରିକୁ ଖରାପ କରି ପକାଏ ।