ହକିକୁ ନେଇ ଥମୁନି ବିବାଦ ! କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦିଲ୍ଲୀପ ତିର୍କୀ, କହିଲେ ବୟାନ ନିନ୍ଦନୀୟ

24

କନକ ବ୍ୟୁରୋ : ହକିକୁ ଜାତୀୟ ଖେଳଭାବେ ଘୋଷଣା କରିବାର କୌଣସି ଆକଶ୍ୟକତା ନାହିଁ ବୋଲି ଗତକାଲି କହିିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଥିଲେ, ହକିକୁ ଭଲପାଇବା ପାଇଁ ଏହାକୁ ସରକାରୀ ଭାବେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । ତେବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ଏପରି ଯୁକ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ଦିଲ୍ଲୀପ ତିର୍କୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହକି ସହିତ ଯୋଡ଼ି ହୋଇକି ଅଛନ୍ତି ।

ହକି ଖେଳର କ୍ରେଜ ଦେଖି ସେ ହକିର ବିକାଶ ପାଇଁ କାମ କରୁଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ଚିଠି ଲେଖିଥିଲେ । କିନ୍ତୁ ଦୁଃଖର କଥା ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, ହକିକୁ ଏପରି କୌଣସି ମାନ୍ୟତା ଦେବା ଜରୁରୀ ନୁହେଁ । ତାଙ୍କର ଏହି ମନ୍ତବ୍ୟରେ ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ଏହା କେବଳ ମୋତେ ନୁହେଁ ହକିପ୍ରେମୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ଏ ପ୍ରସଙ୍ଗରେ ମନ୍ତ୍ରୀ ଆଉ ଥରେ ଚିନ୍ତାକରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ଉଚିତ ବୋଲି ସେ କହିଛଡନ୍ତି । ହକିକୁ ଆମେ ଭଲପାଉ ଓ ହକି ଖେଳ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ତାକୁ ମାନ୍ୟତା ଦେବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ଏବଂ କହିଛନ୍ତି ହକି ଖେଳ ସରକାରୀ ମାନ୍ୟତା ପ୍ରାପ୍ତ କେଲ ହକିପ୍ରେମୀ ଅତ୍ୟନ୍ତ ଖୁସି ହେବେ ।

ସୂଚନାଯୋଗ୍ୟ ହକିକୁ ଜାତୀୟ ଖେଳଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଗତକାଲି କେନ୍ଦ୍ର କ୍ରୀଡାମନ୍ତ୍ରୀ ଜବାବ ରଖିଥିଲେ । ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଥିଲେ, ହକିକୁ ଭଲପାଇବା ପାଇଁ ଏହାକୁ ସରକାରୀ ଭାବେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ଏହି ପ୍ରସଙ୍ଗ ବିବାଦ ମୁହାଁ ହୋଇଥିଲା । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ହକିକୁ ଜାତୀୟ ଖେଳ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଭାରତୀୟ ହକି ଦଳର ସୁବର୍ଣ୍ଣ ଯାତ୍ରା ଏକ ଏଭଳି ଇତିହାସ ହୋଇ ରହିଯାଇଛି, ଯାହାକୁ ଅତିକ୍ରମ କରିବା ବିଶ୍ୱର କୌଣସି ଦଳ ପାଇଁ ସେତେ ସହଜ ନୁହେଁ । ଅଲମ୍ପିକ୍ସରେ ୮ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ, ଓ ଦୁଇ ଥର ବ୍ରୋଞ୍ଜ ଜିତିଥିବା ଏହି ଦଳ ଭାରତୀୟଙ୍କ ହୃଦୟରେ ଛାଇ ରହିଛି । ଅବଶ୍ୟ ୧୯୯୦ ପରଠାରୁ ଦଳର ପ୍ରଦର୍ଶନରେ ଅବନତି ଦେଖାଦେଇଛି । କିନ୍ତୁ ଭାରତୀୟଙ୍କ ହୃଦୟରେ ଏହା ଜାତୀୟ ଖେଳ ବୋଲି ଶ୍ରଦ୍ଧାର ବିଷୟ ହୋଇ ରହି ଆସିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ହକି ଖେଳକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେଇଥିବା ନେଇ କେନ୍ଦ୍ର ସରକାର କେବେ ଅଧିସୂଚନା ଜାରି କରିନାହିଁ ।

ଆସନ୍ତା ନଭେମ୍ବର ୧୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେ ମଧ୍ୟ ପ୍ରଥମ ଥର ଜାଣିବାକୁ ପାଇଲେ ଯେ, ଭାରତ ସରକାର ହକିକୁ ଜାତୀୟ ଖେଳର ମାନ୍ୟତା ଦେଇନାହାନ୍ତି । ଯାହା ଜାଣିବା ପରେ ଆଶ୍ଚର୍ୟ୍ୟ ହୋଇଛନ୍ତି ନବୀନ । ଆଉ ଖାସ ହକିକୁ ହକ ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ। ହକିକୁ ଉପଯୁକ୍ତ ସମ୍ମାନ ଦେବା ସହ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ମାସରୁ ଭୁବନେଶ୍ୱରରେ ବିଶ୍ୱକପ୍ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏବଂ ଭାରତୀୟ ହକି ଦଳକୁ ପ୍ରଥମ ଥର ପାଇଁ ଏକ ରାଜ୍ୟ ସରକାର ୫ ବର୍ଷ ପାଇ ପ୍ରାୟୋଜିତ କରିଛନ୍ତି ।