ଦେହରେ ଥିଲା ଭୀଷଣ ଜ୍ୱର ! ଦୃଢ ଆତ୍ମବିଶ୍ୱାସ ପାଇଁ ଆଇଏଏସ ପରୀକ୍ଷାରେ ସଫଳତା ପାଇଲେ ସୌମ୍ୟା ଶର୍ମା ।

848

କନକ ବ୍ୟୁରୋ : ଦେହରେ ଭୀଷଣ ତାତି, କିନ୍ତୁ ମନରେ ପ୍ରବଳ ଆତ୍ମବିଶ୍ୱାସ ଯାହାକୁ ନେଇ ପରୀକ୍ଷା ହଲରେ ବସିଥିଲେ ଦିଲ୍ଲୀର ସୌମ୍ୟା ଶର୍ମା । କେବଳ ପରୀକ୍ଷା ହଲରେ ବସିନଥିଲେ ବରଂ ସଫଳତା ମଧ୍ୟ ପାଇଥିଲେ । ୨୦୧୮ ମସିହାରେ ୟୁପିଏସସି ପରୀକ୍ଷାରେ ୯ ରାଙ୍କ ପାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବଡ କଥା ହେଉଛି ଯେ ଯେତେବେଳେ ସୌମ୍ୟା ସ୍କୁଲରେ ପଢୁଥିଲେ ସେ ନିଜର ଶ୍ରବଣ ଶକ୍ତି ହରାଇଥିଲେ ।

ଏହି ସମୟରେ ସେ ମେଡିକାଲକୁ ବାରମ୍ବାର ଯାଉଥିଲେ, ଯାହାଫଳରେ ବିଦ୍ୟାଳୟକୁ ନିୟମିତ ଯାଇପାରୁନଥିଲେ । ତଥାପି ଭବିଷ୍ୟତରେ ଆଇଏଏସ ହେବାର ସ୍ବପ୍ନ ତାଙ୍କୁ ଦୁର୍ବଳ କରିପାରିନଥିଲା । ନିଜର ସାଙ୍ଗ ଓ ପରିବାର ସଦସ୍ୟ ସୌମ୍ୟାଙ୍କୁ ପ୍ରେରଣା ଯୋଗାଇଦେଇଥିଲେ । ୟୁପିଏସସି ପରୀକ୍ଷାରେ ସଂରକ୍ଷଣ ବର୍ଗରେ ପରୀକ୍ଷା ନ ଦେଇ ସାଧାରଣ ବା ଜେନେରାଲ କାଟାଗୋରୀରେ ପରୀକ୍ଷା ଦେଇଥିଲେ । ଯାହାକି ତାଙ୍କ ମେଧା ଶକ୍ତିକୁ ପ୍ରମାଣିତ କରିଥିଲା ।

ଆଇଏଏସ ପରୀକ୍ଷାରେ ସଫଳତାକୁ ନେଇ ସୌମ୍ୟା କୁହନ୍ତି ଯେ ସେ ପ୍ରତିଜ୍ଞା ନେଇଥିଲେ ଯେ ଶାରୀରିକ ସମସ୍ୟାକୁ ସେ ଗୁରୁତ୍ୱ ନ ଦେଇ ଆଇଏଏସ ହିଁ ହେବେ । ଯେଉଁଥିପାଇଁ ଭୀଷଣ ଜ୍ୱର ହେଉଥିଲେ ବି ସେ ପରୀକ୍ଷା ଦେବାକୁ ଯାଇଥିଲେ ଓ ସଫଳତା ପାଇଥିଲେ ।