RCB ପାଇଁ ଖୁସି ଖବର । ପୁଣିଥରେ ପଡିଆକୁ ଓହ୍ଲାଇଲେ ଡିଭିଲିୟର୍ସ, ମାତ୍ର ୩୧ଟି ବଲରେ ଖେଳିଲେ ୯୩ ରନର ଧୂଆଁଧାର ଇନିଂସ

176

୬ ମାସ ପୂର୍ବେ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ୩୬୦ ଡିଗ୍ରୀ ବ୍ୟାଟସମ୍ୟାନ ଏ ବି ଡିଭିଲିୟର୍ସ ପୁଣିଥରେ ମୈଦାନକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକାର ଘରୋଇ ଟି-୨୦ ଲିଗ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚରେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି ଏହି ଦୁର୍ଦ୍ଦଷ ବ୍ୟାଟସମ୍ୟାନ । ମାତ୍ର ୩୧ଟି ବଲରୁ ଧୂଆଁଧାର ୯୩ ରନର ଇନିଂସ ଖେଳିଛନ୍ତି ଡି ଭିଲିୟର୍ସ ।

ଡିଭିଲିୟର୍ସଙ୍କ ଏହି ଧୂଆଁଧାର ଇନିଂସ ଏବେ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖୁସିକୁ ଦ୍ୱିଗୁଣିତ କରିଛି । କାରଣ ଚଳିତ ଆଇପିଏଲ ସିଜିନ ପାଇଁ ଡିଭିଲିୟର୍ସଙ୍କୁ ପୁଣିଥରେ ରିଟେନ କରିଛି ବାଙ୍ଗାଲୋର ଦଳ । ତେଣୁ ଆଇପିଏଲରେ ମଧ୍ୟ ଡିଭିଲିୟର୍ସଙ୍କ ଧୂଆଁଧାର ଇନିଂସ ଦେଖିବାକୁ ମିଳିବ ।

ଅର୍ନ୍ତଜାତୀୟ କ୍ରିକେଟରୁ ଡିଭିଲିୟର୍ସଙ୍କ ଅବସର ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ତାହାକୁ ନେଇ ସସପେନ୍ସ ରହିଥିଲା । କିନ୍ତୁ କିଛିଦିନ ପୂର୍ବେ ଇଏସପିଏନକୁ ଦେଇଥିବା ସାକ୍ଷାତକାରରେ ଡିଭିଲିୟର୍ସ ଯେଉଁ ବୟାନ ଦେଇଥିଲେ ତାହା ପୁଣିଥରେ ଆରସିବି ଫ୍ୟାନକୁ ଖୁସି କରି ଦେଇଥିଲା । ଡିଭିଲିୟର୍ସ କହିଥିଲେ, ବିଶ୍ୱରେ ହେଉଥିବା ବିଭିନ୍ନ ଟି-୨୦ ଟୁଣ୍ଣାମେଣ୍ଟ ମଧ୍ୟରୁ ଆଇପିଏଲ ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ।  ବିରାଟ କୋହଲି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସାଥୀ ଖେଳାଳିଙ୍କ ସହ ପୁଣିଥରେ ସାମିଲ ହେବାକୁ ମୁଁ ଆଉ ଅପେକ୍ଷା କରି ରହି ପାରୁନି । ୨୦୧୮ ଆଇପିଏଲର  ନିରାଶାକୁ ଭୁଲିବା ପାଇଁ ଆମେ କଠିନ ପରିଶ୍ରମ କରିବୁ । ଆଉ ଡିଭିଲିୟର୍ସଙ୍କ ଏହି ବୟାନ ଆରସିବି ଶିବିରରେ ଖୁସି ଭରି ଦେଇଛି । ଏହାସହ ୨୦୧୯ ଆଇପିଏଲରେ ଡିଭିଲିୟର୍ସଙ୍କ ବ୍ୟାଟିଂର ଯାଦୁ ଦେଖିବାକୁ ଆଶା ବାନ୍ଧି ବସିଛନ୍ତି କ୍ରିକେଟ ପ୍ରେମୀ ।