ପିଆଜ ପଲିଟିକ୍ସ ! ଅଭାବୀ ବିକ୍ରିକୁ ନେଇ ରାଜ୍ୟ-କେନ୍ଦ୍ର ମୁହାଁମୁହିଁ

23

କନକ ବ୍ୟୁରୋ : ରାଜ୍ୟରେ ପିଆଜର ଅଭାବୀ ବିକ୍ରିକୁ ନେଇ ରାଜ୍ୟ-କେନ୍ଦ୍ର ମୁହାଁମୁହିଁ । ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ କହିଥିଲେ, ଏ ବାବଦରେ ରାଜ୍ୟ କାହିଁକି ଜଣାଇଲା ନାହିଁ । ଏହାର ଆଜି କଡା ଜବାବ ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ରକ୍ରୁ ଫସଲ କ୍ଷତି ନେଇ କାହିଁକି ଜଣାଇବୁ ଆଉ ଜଣାଇଥିଲେ କଣ କରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ଦାମ ।

ବଲାଙ୍ଗିର
ପିଆଜ କିଲୋ ୫ ଟଙ୍କାରେ ବିକ୍ରି କରୁଛନ୍ତି ବଲାଙ୍ଗିରର ଚାଷୀ । ଜିଲ୍ଲାର କଂଟାବାଞ୍ଜି, ବଂଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଏଭଳି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ ।

ଦେବଗଡ
ଦେବଗଡ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଜିଲ୍ଲାର ସର୍ବାଧିକ ପିଆଜ ଉତ୍ପାଦନ ହେଉଥିବା ରିଆମାଳ ଅଂଚଳରେ ଘରେ ଖଟତଳେ ଗଡୁଛି ପିଆଜ । ବର୍ଷତମାମ କଷ୍ଟ କରି ପିଆଜ ଉତ୍ପାଦନ କରିଥିବା ଚାଷୀ କିଲୋ ପିଛା ୭ରୁ ୮ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

କଳାହାଣ୍ଡି
ଯେଉଁ ପିଆଜର ଦାମ ବଜାରରେ ୫୦ଟଙ୍କାରୁ ବି ଅଧିକ ହୋଇଯାଏ ସେହି ପିଆଜ ବସ୍ତା ଗଦାହୋଇ ରହିଛି ଚାଷୀଙ୍କ କ୍ଷେତରେ । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କଠାରୁ ପିଆଜ କିଣିବାକୁ ବ୍ୟବସାୟୀଙ୍କର ଆଗ୍ରହ ନାହିଁ । ସେଥିପାଇଁ ଏଠାରେ ମଧ୍ୟ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ସାରା ରାଜ୍ୟରେ ପିଆଜ ଚାଷୀଙ୍କ ଅଖିରେ ଲୁହ । ପ୍ରଶ୍ନ ହେଉଛି, ଏଥିପାଇଁ ଦାୟୀ କିଏ । ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଓଡିଶାରେ ପିଆଜର ଅଭାବୀ ବିକ୍ରିକୁ ନେଇ ଟିପ୍ପଣୀ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ । ଯାହା ରାଜ୍ୟ କୃଷି ବିଭାଗର ନୂଆକରି ଦାୟିତ୍ୱ ଦେଇଥିବା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କର ହଜମ ହୋଇନାହିଁ ।

କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୩ ବର୍ଷ ପୂରିଥିବାବେଳେ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଂଚାଇବାକୁ ଚାଲିଛି ବଳ କଶାକଶି । ଏହାରି ଭିତରେ ଚାଷୀଙ୍କ ପାଇଁ କାହାର ଦରଦ କେତେ ତାକୁ ନେଇ ବି ଜୋର ଧରିଛି ନେତାଙ୍କ କଥା କଟାକଟି ।

କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, ଯେଉଁ କୃଷି ଉତ୍ପାଦନର ସହାୟକ ମୂଲ୍ୟ ସ୍ଥିର ହୋଇନାହିଁ ସେଗୁଡିକର ଅଭାବୀ ବିକ୍ରି ହେଲେ କେନ୍ଦ୍ର ସରକାରଙ୍କୁ ବଜାର ହସ୍ତକ୍ଷେପ ପାଇଁ ପ୍ରସ୍ତାବ ଦେଇପାରିବ ରାଜ୍ୟ । ହେଲେ ଏହାକୁ ରାଜ୍ୟ ସରକାରଙ୍କ ବିଷୟ କହି କେନ୍ଦ୍ର ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ । ଏହାରି ଭିତରେ କିନ୍ତୁ ପିଆଜ ଚାଷୀଙ୍କ ସ୍ଥିତିରେ କୌଣସି ପରିବର୍ତନ ଆସିନାହିଁ ।