ଦାମ ଦେଖାଇଲେ ଦମ୍ । କହିଲେ ଗଢିବି ନୂଆ ଦଳ, ନକଲି ବିଜୁ ପ୍ରେମୀଙ୍କୁ ଦେବ ଚେକ୍ ।

60

କନକ ବ୍ୟୁରୋ : ଓଡ଼ିଶାର ନୂଆ ରାଜନୈତିକ ସମୀକରଣ ଚର୍ଚ୍ଚାକୁ ବଢ଼ାଇ ଦେଇଛି ବରିଷ୍ଠ ନେତା ଡାକ୍ତର ଦାମ ରାଉତଙ୍କ ବୟାନ । ଆଜି ଡାକ୍ତର ରାଉତ କହିଛନ୍ତି- ବିଜେଡିରେ ନଥିବା ବିଜୁ ବାବୁଙ୍କ ଅନୁଗାମୀମାନେ ତାଙ୍କୁ ନୂଆ ଦଳ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି । ଆଉ ନୂଆ ଦଳ ଗଢ଼ିବା ନେଇ ବିଚାର କରାଯାଉଛି । ଏହି ନୂଆ ଦଳ ବିଜୁ ଆଦର୍ଶରେ ଦଳ ଗଠିତ ହେବା ସହ ନକଲି ବିଜୁ ପ୍ରେମୀକୁ ଚେକ୍ ଦେବ । କୁହାଯାଉଛି-ଏହି ନୂଆ ଦଳ ଚଳିତ ମାସ ଶେଷ ସୁଦ୍ଧା ଗଠନ ହେବ ।

ବିଜେଡିରୁ ବିଦା ହେବା ପରେ ଡକ୍ଟର ଦାମ ରାଉତଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ସେଥିରେ ଆଜି ଖୋଦ୍ ମୋହର ମାରିଛନ୍ତି । ବିଜୁ ଅନୁଗାମୀଙ୍କୁ ଏକାଠି କରି ବିଜୁ ବାବୁଙ୍କ ନାଁରେ ଏକ ନୂଆ ଦଳ ଗଠନ କରିବାକୁ ନିଷ୍ପତି ନେଇଛନ୍ତି ଏହି ପୁରୁଖା ନେତା । ଯାହା ଓଡ଼ିଶାରେ ନୂଆ ରାଜନୈତିକ ସମୀକରଣ ଚର୍ଚ୍ଚାକୁ ଆହୁରି ମଜବୁତ କରିଛି ଡକ୍ଟର ରାଉତଙ୍କ ଏହି ଘୋଷଣା । ଯେଉଁ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ଗଠନ ହୋଇଛି ଏବଂ ବିଜେଡି ୧୮ ବର୍ଷ ଶାସନରେ ରହିଛି । ସେହି ବିଜୁ ନାଁକୁ ନେଇ ରାଜନୀତିର ନୂଆ ଅସ୍ତ୍ର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଡକ୍ଟର ରାଉତ । ଆଉ ଅଭିଯୋଗ କରିଛନ୍ତି ବିିଜେଡିରେ ସବୁ ନକଲି ବିଜୁ ପ୍ରେମୀ ଅଛନ୍ତି ।

ତେବେ କେଉଁ କେଉଁ ନେତା ଦାମ ବାବୁଙ୍କ ଦଳରେ ଯୋଗ ଦେବେ ସେ ନେଇ ଘୋଷଣା କରିବାକୁ ଏବେ ମଙ୍ଗୁ ନ ଥିବା ବେଳେ ସମୟ ଆସିଲେ ଏହି ରହସ୍ୟର ପେଡି ଖୋଲିବେ ବୋଲି ସୂଚନା ଦେଇଛନ୍ତି । ତେବେ ଠିକ୍ ଗୋଟିଏ ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆ ଦଳ ଗଠନ ନେଇ ରାଜି ହୋଇଥିବା କହିଥିଲେ ଡକ୍ଟର ରାଉତ ।ଦାମଙ୍କ ଏହି ବୟାନ ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇ ଆସିଥିବା ବେଳେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟପାତ୍ର କହିଛନ୍ତି- ଏହା ଦାମ ବାବୁଙ୍କ ବାଚଳାମୀ । ବିଜୁ ବାବୁଙ୍କ ଅନୁଗାମୀ ତାଙ୍କ ସପକ୍ଷରେ ନାହାଁନ୍ତି । ଏପଟେ ବିଜୁ ବାବୁଙ୍କ ସହ ମୁଳରୁ ଥିବା ନେତାଙ୍କ ଭିନ୍ନ ଭିନ୍ନ ବୟାନ ଆସିଛି ।

ବଡ କଥା ହେଉଛି ନିଜକୁ ଅଣକଂଗ୍ରେସ ନେତା ଭାବେ ପରିଚୟ ସୃଷ୍ଟି କରିଥିବା ଦାମ ଗତକାଲି କଂଗ୍ରେସ ଭବନକୁ ଯାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଏସବୁ ଭିତରେ ପୁଣି ନୂଆ ଦଳ ଘୋଷଣା, ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ଚକିତ କରିଦେଇଛି ।