ମାଡିଆସୁଛି ବାତ୍ୟା, ବଢୁଛି ଭୟ । କାଲି ସନ୍ଧ୍ୟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୁପ ନେବ ‘ଫୋନି’, ଏବେ ପୁରୀରୁ ୭୦୦ କିମି ଦୂରରେ । 

447

କନକ ବ୍ୟୁରୋ : ଶୁକ୍ରବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫୋନି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ବାତ୍ୟା ଏବେ ଓଡିଶା ପାଇଁ ଚିନ୍ତାର କାରଣ ହୋଇଛି । କାରଣ, ଏହି ବାତ୍ୟା ଯେଉଁ ରୂପ ଧାରଣ କରୁଛି ଏବଂ ଯୁଆଡେ ଗତି କରୁଛି, ତାର ମୁକାବିଲା ପାଇଁ ବ୍ୟାପକ ସ୍ତରରେ ପ୍ରସ୍ତୁତି ଦରକାର । ଏହି ବାତ୍ୟା ଫୋନି ଏବେ ଓଡିଶା ଆଡକୁ ମହାଁଇଛି । ପୁରୀରୁ ପ୍ରାୟ ୭ଶହ କିଲୋମିଟର ଦୂରରେ ଥିବା ଫୋନି ଘଂଟାକୁ ୨୨ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏବଂ ଧିରେ ଧିରେ ଏହା ସ୍ପଷ୍ଟ ହେବାରେ ଲାଗିଛି ଯେ ପୁରୀ ନିକଟରେ ହିଁ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଏକ ପ୍ରେସ ରିଲିଜରେ କହିଛି ମେ ୩ ତାରିଖରେ ପୁରୀର ଦକ୍ଷିଣ ଦିଗରେ ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ଫୋନି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଅର୍ଥାତ ଶୁକ୍ରବାର ଦିପହରରେ ଚାନ୍ଦବାଲି ଓ ଗୋପାଳପୁର ମଧ୍ୟରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ।

ବାତ୍ୟା ଫୋନି ଏବେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଛି । ଆସନ୍ତାକାଲି ଅର୍ଥାତ୍ ମେ ୧ ତାରିଖ ସଂଧ୍ୟା ସାଢେ ୫ଟାରେ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ସେତେବେଳେ ବାତ୍ୟାର କେନ୍ଦ୍ର ସ୍ଥଳରେ ପବନର ବେଗ ଘଂଟାକୁ ପ୍ରାୟ ୧୮୦ କିଲୋମିଟର ରହିବ । ଏବେ ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ମେ ୧ ତାରିଖ ସଂଧ୍ୟାରେ ବାତ୍ୟା ଫୋନି ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଏବଂ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ କରିବ । ଚିନ୍ତାର ବିଷୟ ହେଉଛି, ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଂଟାକୁ ୧୭୫ରୁ ୧୮୫ କିଲୋମିଟର ଯାଏଁ ରହିପାରେ । ବେଳେବେଳେ ପବନର ବେଗ ଘଂଟାକୁ ୨୦୫କୁ ମଧ୍ୟ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।