ରାତି ପାହିଲେ ବିଜେପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ ! ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବିରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡି ଓ ବିଜେପି ଟିମ୍

37

କନକ ବ୍ୟୁରୋ: ରାତି ପାହିଲେ ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ । ଏନେଇ ସୁରକ୍ଷା ସମୀକ୍ଷା କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି । ଏଥିପାଇଁ ପୁଲିଂ ବୁଥ ଓ ଇଭିଏମ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ଜାମିନୀ ଷଡଙ୍କ ଓ ଏସପି ଜୟନାରାୟଣ ପଙ୍କଜ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ବିଜେପୁର ଉପରେ ନଜର ରଖିବ ୧୨ଟି ଫ୍ଲାଇଂ ସ୍କ୍ୱାଡ଼ । ୧୨ଟି ଚେକ ପୋଷ୍ଟ ଗଠନ କରାଯାଇଛି । ବାହାର ଗାଡିକୁ ବିଜେପୁର ଭିତରକୁ ପ୍ରବେଶ କରିବାକୁ ଦିଆଯାଉନଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ଏଥିପାଇଁ ୨୮୧ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିରୁ ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫୦ରୁ ଅଧିକ ବୁଥରେ ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ । ଅନ୍ୟ ଜିଲ୍ଲାରୁ ୨୦ ଜଣ ମାଜିଷ୍ଟ୍ରେଟ ଅଣାଯିବ । ଉତେଜନା ପ୍ରବଣ ବୁଥରେ ପାଂଚ ସୁରକ୍ଷା ଯୋଗାଇବେ କମ୍ପାନୀ ବିଏସଏଫ ଏବଂ ସିଆରପିଏଫ ଯବାନ । ୪୦ଟି ମୋବାଇଲ ପାର୍ଟି ଭୋଟ ଗ୍ରହଣର ସମସ୍ତ ଘଟଣାର ନିରିକ୍ଷଣ କରିବେ ।

ଓଡ଼ିଶା ସ୍ୱିପ୍ଟଂ ଆକ୍ସନ ଫୋର୍ସର ଏକ କଂପାନୀ ଯବାନ ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ବୁଥ ଅଂଚଳରେ ସିଆରପିଏଫ ଓ ବିଏସଏଫ ବାହିନୀ ଫ୍ଲାଗ ମାର୍ଚ୍ଚ କରିବେ । ସଚେତନତା ପାଇଁ ଭୋଟରଙ୍କ ମଧ୍ୟରେ ୫୦ ହଜାର ଲିଫଲେଟ ବଂଟାଯିବ । କୌଣସି ବ୍ୟକ୍ତି ବିଶୃଙ୍ଖଳାର ସୂଚନା ଦେଲେ ତାଙ୍କୁ ୨ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ୧୦ମ ପରୀକ୍ଷା କେନ୍ଦ୍ରରେ ୧୨ଟି ବୁଥ କରାଯାଇଛି । ପରୀକ୍ଷା ସରିବା ପରେ ସେଠାକୁ ପୋଲିଂ ପାର୍ଟି ଯାଇଛି ।

ସେପଟେ ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଏସପିଙ୍କୁ ଭେଟିଛନ୍ତି ଉଭୟ ବିଜେଡ଼ି ଓ ବିଜେପିର ପ୍ରତିନିଧି ଦଳ । ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାସ ବର୍ମା, ଦେବୀ ମିଶ୍ରଙ୍କ ସହ ଅନେକ ନେତା ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ବିଜେପି ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।