ଧସିଲା ୧୩ ହଜାର କୋଟିର ଏକ୍ସପ୍ରେସ ୱେ, ଖାଲ ମଧ୍ୟରେ ଖସିପଡିଲା ଗାଡି ।

37

ଦେଶର ସୁବଠୁ ଲମ୍ବା ଏକ୍ସପ୍ରେସ ୱେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଅଚାନକ ଧସିଯାଇଛି । ଯାହାଦ୍ୱାରା ଏକ ଗାଡି ଧସିଥିବା ଖାଲ ମଧ୍ୟରେ ଖସି ପଡିଛି । ବାଜିଦପୁରର ପୁଲିଆ ଅଞ୍ଚଳ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ଚାରି ଜଣ ଲୋକ ଆହତ ହୋଇଛନ୍ତି । ଏହି ଏକ୍ସପ୍ରେସ ୱେ ପୂର୍ବରୁ ଅନେକ ଥର ଚର୍ଚ୍ଚାର ପରିସରକୁ ଆସିଛି । କାରଣ ଏହା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଡ୍ରିମ ପ୍ରୋଜେକ୍ଟ ରହିଥିଲା ।

ଏହି ସେହି ଏକ୍ସପ୍ରେସ ୱେ ଯାହାର ଉଦଘାଟନ ସମୟରେ ଫାଇଟର ପ୍ଲେନକୁ ଲ୍ୟାଣ୍ଡିଂ କରାଯାଇଥିଲା । ଅଖିଳେଶ ସରକାର ପାଇଁ ଏହି ଏକ୍ସପ୍ରେସ ୱେ ସବୁଠୁ ବଡ ଉପଲବ୍ଧି ରହିଥିଲା । ଏହାକୁ ନିର୍ମାଣ କରିବାକୁ ୧୩୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୬ ଲେନ ବିଶିଷ୍ଟ ଏହି ୩୦୨ କିଲୋମିଟର ଏକ୍ସପ୍ରେସ ୱେକୁ ମାତ୍ର ଦୁଇ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଥିଲା । ସେତେବେଳେ ଏହି ଏକ୍ସପ୍ରେସ ୱେ ପାଇଁ ଅଖିଳେଶ ସରକାରଙ୍କୁ ଢେର ପ୍ରଂଶସା ମିଳିଥିଲା ।

ଏହି ଏକ୍ସପ୍ରେସ ୱେଟି ଆଗ୍ରାରୁ ଆରମ୍ଭ ହୋଇ ଫିରୋଜାବାଦ, ମେନପୁରୀ,ଇଟାୱା, କନୌଜ, ହରଦୋଇ, କାନପୁର ଓ ଉନ୍ନାଓ ଦେଇ ଲକ୍ଷ୍ନୌ ପର୍ଯ୍ୟନ୍ତ ଲମ୍ବିଛି । ଏକ୍ସପ୍ରେସ ୱେ ମଧ୍ୟରେ ଉନ୍ନାଅ ନିକଟରେ ପାଖାପାଖି ୩ କିଲୋମିଟର ଏଭଳି ରନୱେ ନିର୍ମାଣ କରାଯାଇଛି ଯେଉଁଠାରେ ଫାଇଟର ପ୍ଲେନ ଅବତରଣ କରାଯାଇପାରିବ । ଅନ୍ୟଦିନ ଏହି ଏକ୍ସପ୍ରେସ ୱେ ସଡକ ଭଳି କାମ କରିବ । କିନ୍ତୁ ଯଦି ଆବଶ୍ୟକୀୟ ପଡେ ତେବେ ଏହି ତିନି କିଲୋମିଟର ରାସ୍ତାକୁ ଦୁଇ ପଟରୁ ବନ୍ଦ କରାଯାଇ ବାୟୁସେନାର ଏୟାର ଷ୍ଟ୍ରିପ ପାଇଁ ବ୍ୟବହାର କରାଯିବ । ଏହା ପୂର୍ବରୁ ଏହି ଏକ୍ସପ୍ରେସ ୱେରେ ଗୋଟିଏ ପରେ ଗୋଟିଏ ୬ଟି ମିରାଜ ଓ ସୁଖୋଇ ବିମାନ ଅବତରଣ କରାଯାଇଥିଲା ।