ଚାକିରିଆଙ୍କ ଉପରେ କରୋନା ଚଡକ: ତାଲାବନ୍ଦ ଯୋଗୁଁ ସଂକଟରେ ବ୍ୟବସାୟୀ, କର୍ମଚାରୀଙ୍କୁ ଦରମା ଦେବାକୁ କଂପାନୀ ପାଖରେ ଅର୍ଥ ନାହିଁ; କିଏ ଛଟେଇ କରୁଛି ତ ପୁଣି କିଏ କାଟି ଦେଉଛି ଦରମା
କନକ ବ୍ୟୁରୋ: କରୋନା ସଂକଟ ମଧ୍ୟରେ ଏବେ ଛଟେଇ ଏବଂ ଦରମା କାଟ୍ ଭଳି ଖବର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଗତ କିଛି ହେଲା ଅନଲାଇନ କ୍ୟାବ ବୁକିଂ ସେବା ଉପଲବ୍ଧ କରୁଥିବା କଂପାନୀ ଓଲା ୧୪ ଶହ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଓଲାର ପ୍ରତିଦ୍ୱନ୍ଦୀ ଉବର ଇଣ୍ଡିଆ ମଧ୍ୟ ତାର ପାଖାପାଖି ୬ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ନିଷ୍ପଚତି ନେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉବର ଇଣ୍ଡିଆର ଅଧ୍ୟକ୍ଷ ପ୍ରଦୀପ ପରମେଶ୍ୱରନଙ୍କ କହିବା ଅନୁସାରେ, ଆମେରିକୀୟ କଂପାନୀ ଉବର ଟେକ୍ନୋଲୋଜି ହଙ୍କର ଭାରତୀୟ ଶାଖାରେ ଥିବା ୬ ଶହ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀର ବେଶି ପ୍ରଭାବ ବ୍ୟବସାୟ ଉପରେ ପଡିଛି । ଯେଉଁ କାରଣରୁ ବାଧ୍ୟ ହୋଇ କଂପାନୀକୁ ଏଭଳି ନିଷ୍ପତି ନେବାକୁ ପଡିଛି । ଏଠାରେ ଆମେ କହି ରଖୁଛୁ ଯେ, ଆମେରିକୀୟ କଂପାନୀ ଉବର ସାରା ବିଶ୍ୱରେ ୩୭ ଶହ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଆଲୋଚନା କରିଥିଲା । ଯାହାକି ଭାରତରେ ଯେଉଁ କର୍ମଚାରୀମାନଙ୍କର ଛଟେଇ ହୋଇଛି ଏହା ତାର ଏକ ଅଂଶ ।
ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଅଧିକାଂଶ କମ୍ପାନି ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି । ଏହା ଫଳରେ କମ୍ପାନିମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଦେଶର ପ୍ରମୁଖ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣକାରୀ କମ୍ପାନି ଟିଭିଏସ ନିଜ କର୍ମଚାରୀଙ୍କ ଦରମା କାଟ ଲାଗି ନିଷ୍ପତ୍ତି ନେଇଛି । ତେବେ କର୍ମଚାରୀଙ୍କ ପାହ୍ୟା ଅନୁସାରେ ଦରମାକାଟ କରାଯାଇଛି । କନିଷ୍ଠ କର୍ମଚାରୀଙ୍କ ଦରମା ୫ ପ୍ରତିଶତ, ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦରମା ୧୫ରୁ ୨୦ ପ୍ରତିଶତ କଟିବ ।
ପୂର୍ବରୁ ଦେଶର ପ୍ରମୁଖ କମ୍ପାନି ରିଲାଏନ୍ସ ନିଜ କର୍ମଚାରୀଙ୍କ ଦରମା କାଟ ସଂପର୍କରେ ଘୋଷଣା କରିଥିଲା । କମ୍ପାନି ପକ୍ଷରୁ ନିଜର ହାଇଡ୍ରୋକାର୍ବନ ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କ ଦରମା କାଟିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ୟ୍ୟନ୍ତ କାଟ କରାଯିବ । ଏପରିକି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ମଧ୍ୟ ନିଜର ସମସ୍ତ ଦରମା କାଟ କରିଛନ୍ତି । କିନ୍ତୁ ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ କମ ଦରମା ନେଉଥିବା କର୍ମଚାରୀଙ୍କ ଦରମା କାଟ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।