ଚୀନକୁ ଟପିଗଲା ଭାରତ । ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା । ମୋଟ୍ ୮୪ ହଜାର ଆକ୍ରାନ୍ତ ସହ ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୧୧ ତମ ସ୍ଥାନରେ ଭାରତ ।
କନକ ବ୍ୟୁରୋ : ଭାରତରେ ତାଲାବନ୍ଦ ଓ ବ୍ୟାପକ କଟକଣା ସତ୍ୱେ ବି ଭାରତରେ କୋରନା ଆକ୍ରାନ୍ତ ସଂଖ୍ୟା ଚୀନକୁ ଟପି ଯାଇଛି । ଶେଷ ଖବର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୪ ହଜାର ୭୧୨ରେ ପହଞ୍ଚିଛି । ଚୀନରେ ଆକ୍ରାନ୍ତ ସଂଖ୍ୟା ରହିଛି ୮୨ ହଜାର ୯୩୩ । ଗତ ୨୪ ଘଂଟାରେ ଭାରତରେ ୧୦୦ ଜଣଙ୍କ ମୃତ୍ୟୁ ହେବା ସହିତ ୩ ହଜାର ୯୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଆଧାର କରି ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଚୀନକୁ ଅତିକ୍ରମ କରିଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପିଟିଆଇ ସୂତ୍ରରୁ ପ୍ରକାଶିତ ଖବର ଅନୁସାରେ ସାରା ଦେଶରେ କାଶ୍ମୀରରୁ କନ୍ୟାକୁମାରୀ, କର୍ଣ୍ଣାଟକରୁ ବିହାର ଯାଏଁ ଏବେ ଅଧିକରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଆକ୍ରାନ୍ତ ସଂଖ୍ୟା ୮୫ ହଜାର ନିକଟତର ହେବ । ଚୀନରେ ସରକାରୀ ଭାବେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ହଜାର ୯୩୩ ଓ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ କୁହାଯାଇଛି । ଏଥିରୁ ୭୮ ହଜାର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । କରୋନା ଭୂତାଣୁ ବର୍ତମାନ ସାରା ବିଶ୍ୱରେ ୩ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି । ୪୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛି ଆମେରିକା । କେବଳ ଆମେରିକାରେ ଚିହ୍ନଟ ହେଲେଣି ୧୪ ଲକ୍ଷ ଆକ୍ରାନ୍ତ । ଋଷ, ଇଂଲଣ୍ଡ, ସ୍ପେନ, ଇଟାଲି, ବ୍ରାଜିଲ୍ ରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ରହିଛନ୍ତି ।
ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଏବଂ ଇରାନରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏପରି ସ୍ଥିତିରେ ୮୫ ହଜାର ଆକ୍ରାନ୍ତ ସଂଖ୍ୟା ସହିତ ଭାରତ ବିଶ୍ୱରେ ୧୧ ତମ ସ୍ଥାନକୁ ଆସିଛି । ଭାରତରେ ବର୍ତମାନ ୫୧ ହଜାର ଆକ୍ଟିଭ୍ କରୋନା କେସ୍ ରହିଛି । ପ୍ରାୟ ୨୮ ହଜାର ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଭାରତରେ କରୋନା ସୁସ୍ଥତା ହାର ୩୪ ପ୍ରତିଶତ ରହିଛି ।