ତାତି ଆହୁରି ବଢ଼ିବ । ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଡେଇଁବ ।
କନକ ବ୍ୟୁରୋ : ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଗକୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ଗରମ ବଢ଼ିବା ସହ ରାଜ୍ୟବାସୀ ଗୁଳୁଗୁଳିରେ ସନ୍ତୁଳି ହେବେ । ଚଳିତବର୍ଷ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ ଏଭଳି ଅନୁଭୂତ ହେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି । ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଅତିକ୍ରମ କରିବ ଓ ମେ’ ଶେଷ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦିନକୁ ଦିନ ରାଜ୍ୟର ତାପମାତ୍ରା ବଢ଼ିବା ସହ ଗରମ, ଗୁଳୁଗୁଳି ବଢ଼ିବ। ଭୁବନେଶ୍ବର ସମେତ ଆଜି ରାଜ୍ୟର ଉପକୂଳ ଅଞ୍ଚଳକୁ ବଙ୍ଗୋପସାଗରରୁ ପୂର୍ବା ପବନ ବହୁଥିଲା। ଅନ୍ୟପଟେ ରାଜ୍ୟର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପଶ୍ଚିମ ଭାରତରୁ ଗରମ ପବନ ବହୁଥିଲା । ଫଳତଃ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ଅଧିକ ରହିଥିଲା। ଅନୁମାନ କରାଯାଉଛି ଯେ ୧୯ତାରିଖ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ।
ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କ୍ରମଶଃ ବଢ଼ିବ। ଭୁବନେଶ୍ବର ତାପମାତ୍ରା ୨୦ ତାରିଖ ତାରିଖଠାରୁ ବଢ଼ି ୨୧ କିମ୍ବା ୨୨ ତାରିଖରେ ୪୦ ଡିଗ୍ରି ଅତିକ୍ରମ କରିବ। ୧୯ ତାରିଖ ଦିନ ଦକ୍ଷିଣ ପଶ୍ଚିମ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ରହିବ ଏବଂ ଏହା ପଛକୁ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ରହିବ। ସେତେବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଅତିକ୍ରମ କରିଥିବା ବେଳେ ୨୧ତାରିଖକୁ ଗରମ ପୁଣି ଅଧିକ ହେବ। ଆଉ କେତେକ ସ୍ଥାନରେ ୪୪ ଡିଗ୍ରି ଛୁଇଁବାର ଆକଳନ କରାଯାଇଛି। ଏହି ଗରମ ମେ’ ମାସ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଏହିଭଳି ରହିବ। ତାପମାତ୍ରାରେ ସେମିତି କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ତେବେ ଆଜି ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାସହ ତାଳଚେର ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଛୁଇଁଛି।