ବିଧାୟକ ପଦ ଭଲ ଲାଗୁନାହିଁ, ମୋତେ ଲୋଡା ମନ୍ତ୍ରୀ ପଦ? ଡିଲ୍ ଫାଇନାଲ ହେଲେ କଂଗ୍ରେସ ଛାଡିବେ

କଂଗ୍ରେସ ଛାଡିବାକୁ ପୂରା ରେଡ୍ଡି । କେବଳ ହୋଇଥିବା ଡିଲକୁ ଗ୍ରୀନ ସିଗନାଲ ମିଳିଲେ ହେଲା 

1,108

କନକ ବ୍ୟୁରୋ : କୋରାପୁଟ ବିଧାୟକ କୃ୍ଷ୍ଣ ସଗରିଆ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ କଂଗ୍ରେସ ଦଳ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି କଂଗ୍ରେସ ଦଳର ହାତ ଛାଡିବାକୁ କିଛି ବିଧାୟକ ମନେ ମନେ ସ୍ଥିର କରି ସାରିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଏହି ବିଧାୟକ ମାନଙ୍କର ଦଳଡିଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି ଶୁଣାଯାଉଛି । ଅଧିକାଂଶ ବିଧାୟକ ହାତକୁ ବାଏ ବାଏ କରି ଶଙ୍ଖ ଫୁଙ୍କିବାକୁ ବା ପଦ୍ମ ପୋଖରୀରେ ପହଁରିବାକୁ ପୂରା ରେଡ୍ଡି ହୋଇସାରିଲେଣି । ନବୀନ ନିବାସ କିମ୍ବା ରାମ ମନ୍ଦିର ପାଖ ଅଫିସରୁ ଗ୍ରୀନ ସିଗନାଲ ମିଳିବା ମାତ୍ରକେ ଏମାନେ ହାତର ହାତ ଛାଡିଦେବେ ବୋଲି ଚାହା ଖଟିରେ ଜୋରଦାର ଚର୍ଚ୍ଚା ହେଉଛି ।

ଖାସକରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଏହି କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର କେଉଁ ବିଧାୟକ ଓ କାହିିଁକ କଂଗ୍ରେସକୁ ବାଏ ବାଏ କରିବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି । କଂଗ୍ରେସ ବିଧାୟକଙ୍କୁ ବିଜେଡି ଶିବିରକୁ ଆଣିବାକୁ ଯେଉଁ ଡିଲ ହେଉଛି ସେଥିରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟସ୍ଥି ସାଜିଥିବା ଶୁଣିବାକୁ ମିଳୁଛି ।

Congress_PTIତେବେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପୂର୍ବରୁ ବିଧାୟକ ଜଣକ କୁଆଡେ ଶାସକଦଳ ନିକଟରେ ଏକ ଦାମୀ ଡିମାଣ୍ଡ ରଖିଛନ୍ତି । କଂଗ୍ରେସ ଛାଡିବାକୁ ମନ ବଳାଇଥିବା ନେତା ଜଣକ ଆଉ ବିଧାୟକ ହୋଇ ରହିବାକୁ ଚାହୁଁନାହାନ୍ତି ତାଙ୍କୁ ମନ୍ତ୍ରୀପଦ ଦରକାର । ବିଧାୟକ ଜଣକ କାଳେ ଏଭଳି ଡିମାଣ୍ଡ ରଖିଥିବା ତାଙ୍କ ନିକଟତମ ଲୋକ କୁହାକୁହି ହେଉଛନ୍ତି ।

କଂଗ୍ରେସ ବିଧାୟକଙ୍କର ଏହି ଡିମାଣ୍ଡ ପୂରଣ କରିବାକୁ ଯଦି ବିଜେଡି ପକ୍ଷରୁ ଗ୍ରୀନ ସିଗନାଲ ମିଳିଯାଏ ତେବେ ଆଉ କାଳବିଳମ୍ବ ନକରି ଖୁବଶୀଘ୍ର ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକଙ୍କ ଏହି ଡିଲ୍ ଚର୍ଚ୍ଚା ଉଠିବା ପରେ କିଛି କଂଗ୍ରେସ ନେତା ମଧ୍ୟ ବେଶ ଖୁସି ଅଛନ୍ତି । କାରଣ ଯେତେଶୀଘ୍ର ଏମାନେ ଦଳ ଛାଡିବେ ସେତେଶୀଘ୍ର ତାଙ୍କ ପାଳି ଆସିବ ବୋଲି ଟିକେଟ ଆଶାରେ ଥିବା କିଛି ଯୁବ କଂଗ୍ରେସ ନେତା ଚାହୁଁଛନ୍ତି । ଆଉ ଏଥିପାଇଁ ଏହି ଯୁବ କଂଗ୍ରେସ ନେତା ମାନେ ବିଧାୟକଙ୍କୁ ସାଇଡ କରି ଏବେଠୁ ସଙ୍ଗଠନ ସଜାଡିବା ଆରମ୍ଭ କଲେଣି ।