ଲୋକସଭାରେ କଂଗ୍ରେସର ଅଜବ ଦାବି । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଘୋଷଣା କରନ୍ତୁ ମୋଦି ସରକାର ।

267

କଂଗ୍ରେସର ଅଜବ ଦାବି । ବାୟୁସେନାର ସାହସୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପୁରସ୍କାର ଦେବାକୁ ଦାବି କରିଛି କଂଗ୍ରେସ । ଆଉ ଏହାସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରାଯିବା ଦରକାର ବୋଲି ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଦାବି କରିଛି କଂଗ୍ରେସ ।

ଲୋକସଭାରେ ଭାଷଣ ଦେବା ସମୟରେ ଅଧୀର ମୋଦି ସରକାରଙ୍କୁ କଡା ସମାଲୋଚନା କରିବା ସହ ଏୟାରଷ୍ଟ୍ରାଇକର କଥା ମଧ୍ୟ ଉଠାଇଥିଲେ । ବାଲାକୋଟରେ ବାୟୁସେନା ଯେଉଁ ଏୟାରଷ୍ଟ୍ରାଇକ କରିଛି ତାହାକୁ କଂଗ୍ରେସ ପାର୍ଟି ସମର୍ଥନ କରି ଆସିଛି । ଏହାସହ ପାକିସ୍ତାନ ସୀମାରେ ପଶି ପାକ୍ ବାୟୁସେନାର ବିମାନକୁ ଖସାଇ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ତାଙ୍କୁ ପୁରସ୍କୃତ କରାଯିବା କଥା । ଏପରିକି ତାଙ୍କ ନିଶକୁ ମଧ୍ୟ ରାଷ୍ଟ୍ରୀୟ ନିଶ ଘୋଷଣା କରାଯିବାକୁ ଦାବି କରିଛି କଂଗ୍ରେସ । ଆଉ କଂଗ୍ରେସ ଏଭଳି ଦାବି କରିବା ପରେ ତାଳିମାଡରେ ଗୃହ କମ୍ପି ଉଠିଥିଲା ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା । ଆଉ ଏୟାରଷ୍ଟ୍ରାଇକର ପରଦିନ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲା ପାକିସ୍ତାନ ବାୟୁସେନାର ଫାଇଟର ଜେଟ୍ । ଆଉ ଜବାବରେ ପାକିସ୍ତାନ ଯୁଦ୍ଧ ବିମାନକୁ ଭାରତୀୟ ସୀମାରୁ ତଡ଼ିବାରେ ସକ୍ଷମ ହୋଇଥିଲା ଭାରତୀୟ ବାୟୁସେନା । ଏପରିକି ପାକିସ୍ତାନ ଯୁଦ୍ଧ ବିମାନକୁ ପିଛା କରୁ କରୁ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ଭୁଲବଶତଃ ଖସିପଡିଥିଲା ।

ଆଉ ଅଭିନନ୍ଦନଙ୍କୁ ସଙ୍ଗେ ସଙ୍ଗେ ନିଜ କବଜାକୁ ନେଇଥିଲେ ପାକିସ୍ତାନ ଯବାନ । ଅଭିନନ୍ଦନଙ୍କୁ ପାକିସ୍ତାନ ୨ ଦିନ ଅଟକ ରଖିଥିଲା । ତେବେ ଭାରତର ଚାପ ପରେ ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଆଉ ଅଭିନନ୍ଦନଙ୍କ ଏଭଳି ବୀରତ୍ୱ ପାଇଁ ପୂରା ଦେଶ ତାଙ୍କୁ ସାଲ୍ୟୁଟ କରିଥିଲା ।