ଛୋଟ ନିର୍ବାଚନ ବଡ ରାଜନୀତି

23

କଟକ ବ୍ୟୁରୋ, କନକ ନ୍ୟୁଜ୍ : କର୍ପୋରେଟର ଉପ ନିର୍ବାଚନରେ କଂଗ୍ରେସର ଜିତାପଟ୍ ବିଜେଡି କ୍ୟାମ୍ପରେ ଝଡ ସଷ୍ଟି କରିଛି । ଏ ପରାଜୟକୁ ନେଇ ଦଳର ତୁଙ୍ଗ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି କଥାଯୁଦ୍ଧ । ଆଉ ଏ ଯୁଦ୍ଧକୁ ମନ୍ତ୍ରୀ ଦାମୋଦୋର ରାଉତଙ୍କ ଶାଣିତ ମନ୍ତବ୍ୟ ସରଗରମ୍ କରିଥିବା ବେଳେ ଅଡୁଆରେ ପଡିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । କାରଣ କଟକରେ କେବଳ ବିଜେଡି ହାରିନି ଭାଇ ବୋହୁଙ୍କ ଆଗରେ ପରାଜୟ ସ୍ୱୀକାର କରିଛନ୍ତି ଦେଢଶୁର । ଯାହାକି କଟକ ରାଜନୀତିକୁ ଆହୁରି ରୋଚକ କରିଛି ।

ତେବେ କ୍ଲିନ୍ ସୁଇପର ତାଜ ପିନ୍ଧି ଆସୁଥିବା ବିଜେଡି କାହିଁକି ହାରିଲା । ଆଉ ଏ ପ୍ରଶ୍ନର ଉତର ଖୋଜା ଚାଲିଥିବା ବେଳେ ମନ୍ତ୍ରୀ ଦାମୋଦର ରାଉତଙ୍କ ପରାଜୟର ପୋଷ୍ଟମର୍ଟମ ରିପୋର୍ଟ ଖୁବ୍ ରୋଚକ । ରାସନ କାର୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ ନକରି ପୂର୍ବତନ ମେୟରଙ୍କୁ ପଦରୁ ହରାଇବାର ପରିଣାମ ହେଉଛି ଏ ପରାଜୟ । ତେବେ ଏସବୁ କଥା ବାହାନାରେ ସେ ଟାର୍ଗେଟ୍ କରିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ । ସେପଟେ ଦେବାଶିଷଙ୍କ କହିବା କଥା ଦଳ ଭିତରେ ଥିବା ବିଦ୍ରୋହୀଙ୍କ ଯୋଗୁଁ ଏ ହାର ଦେଖିବାକୁ ମିଳିଲା ।

ସେପଟେ ଦାମଙ୍କ ଏ ସମାଲୋଚନାର ଶର ଠାରୁ ଦେବାଶିଷଙ୍କୁ ଆହୁରି ଘାଇଲା କରିଛି ଭାଇ ବୋହୁଙ୍କ ବିଜୟ । ଘରୋଇ କଳି ପରେ ଦେଢଶୁର ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ କଂଗ୍ରେସ୍ ପାଇଁ ପ୍ରଚାର କରିଥିଲେ ଭାଇବୋହୁ ଶିଖା ସାମନ୍ତରାୟ ।

ପୁରା କଟକରେ ବିଜେଡିର ଦବଦବା । ହେଲେ ଛୋଟ ଉପନିର୍ବାଚନରେ ହାରିଲା ଦଳ । ପ୍ରଥମ ଥର ପାଇଁ ନିଜେ ପ୍ରଚାରକୁ ନଯାଇ ୟଙ୍ଗ ବ୍ରିଗେଡଙ୍କୁ ନବୀନ କରିଥିଲେ ଭରସା । ଆଉ ଫଳ ହେଲା ଶୂନ ।