କଂଗ୍ରେସରେ ସୃଷ୍ଟି ହେବ କି ଅଦିନିଆ ଝଡ ! ତୃତୀୟ ମହଲାରେ ଗଣେଶ୍ୱର ବେହେରାଙ୍କ ଆର୍ବିଭାବ ପରେ ଆରମ୍ଭ ହେଲା ବଡଧରଣର ଚର୍ଚ୍ଚା

67

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ପରିସ୍ଥିତି ଆଗକୁ କଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଆଇସିସି ତାଲିକାରୁ ବାଦ୍ ପଡିଥିବା ୯ ବିଧାୟକଙ୍କ ସମେତ ଅନ୍ୟ ନେତାଙ୍କ ପରବର୍ତି ପଦକ୍ଷେପ କଣ ହେବ ତାକୁ ନେଇ ରାଜନୈତିକ ମହଲ ଅଙ୍କ କଷୁଛନ୍ତି । ସୂଚନା ଅନୁସାରେ ଅସନ୍ତୁଷ୍ଟ ନେତା ମାନେ ସେମାନଙ୍କର ଆଗାମୀ ରଣନୀତି ନେଇ ମନ୍ତ୍ରଣା ଚଲାଇଛନ୍ତି । ଯାହାକୁ ରାଜନୀତି ସମୀକ୍ଷକଙ୍କ ଭାଷାରେ ଝଡ ପୂର୍ବର ନୀରବତା ବୋଲି କୁହାଯାଉଛି ।

ରାଜ୍ୟ କଂଗ୍ରେସ ରାଜନୀତି ଆଗକୁ କେଉଁ ଆଡକୁ ଯିବ ତାହା ଅନୁମାନ କରିବା ବର୍ତମାନ କଷ୍ଟକର ହୋଇପଡିଛି । ଅନ୍ୟ ରାନୈତିକ ଦଳର ରାଜନୀତି ଓ କଂଗ୍ରେସ ରାଜନୀତି ଭିତରେ ଏକ ବଡ ଫରକ ରହିଛି । କାରଣ, ଏଠାରେ ଖୋଦ୍ ମୁଖିଆଙ୍କ ଉପରେ ସନ୍ଦେହ କରୁଛନ୍ତି ନେତା ।ବିଜେପୁର ହାଇ ପ୍ରୋଫାଇଲ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇବା ଘଟଣା ଓ ଏହା ପରେ ପରେ ଏଆଇସିସି ତାଲିକାରୁ ୯ ଜଣ ବିଧାୟକ ବାଦ ପଡିବା, କଂଗ୍ରେସ ରାଜନୀତିରେ ଅସ୍ଥିରତା ସୃଷ୍ଟି କରିଛି । ବରିଷ୍ଠ ନେତାଙ୍କୁ ଏଆଇସିସି ତାଲିକାରୁ ବାଦ ଦେଇ ନବାଗତଙ୍କୁ ସାମିଲ କରାଯିବା ପରେ ରାଜ୍ୟ କଂଗ୍ରେସରେ ଅଦିନିଆ ଝଡ ସୃଷ୍ଟି ହୋଇଛି ।

କଂଗ୍ରେସର ଅଦିନିଆ ଝଡ ସୃଷ୍ଟି ହେବା ପରେ ଏବେ ଦଳଡିଆଁ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆଜି କଂଗ୍ରେସର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରାଙ୍କୁ ଆଜି ସଚିବାଳୟର ତୃତୀୟ ମହଲାରେ ଦେଖିବାକୁ ମିଳିଥିଲା । ସେପଟେ ଗଣେଶ୍ୱର ବିଜେଡିରେ ଯୋଗ ଦେଉଥିବା ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାକୁ ନେଇ କେନ୍ଦ୍ରାପଡାର କିଛି ନେତା ତାଙ୍କୁ ବିଜେଡିକୁ ପ୍ରବେଶ ନକରେଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏନେଇ ଗଶେଶ୍ୱର କହିଛନ୍ତି, ଯଦି ସେଭଳି କୌଣସି ପରିସ୍ଥିତି ଆସେ ତେବେ ସେ ନିଜର ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନେବେ । କିନ୍ତୁ ଏହାରି ଭିତରେ ଦଳର ପୂର୍ବତନ ମୁଖପାତ୍ର ତଥା ଯୁବ ସଂଗଠକ ମାନସ ମଙ୍ଗରାଜ ସୋମବାର କଂଗ୍ରେସ ଛାଡିଛନ୍ତି ।

ଦୀର୍ଘ ଦିନ ଧରି ନେତୃତ୍ୱ ପରିବର୍ତନ ଦାବି କରିଆସୁଥିବା କଂଗ୍ରେସ ନେତାଙ୍କ ଶେଷ ଆଶା ଥିଲା ଏଆଇସିସି ଅଧିବେଶନରେ ହାଇକମାଣ୍ଡ ରାଜ୍ୟ ସଂଗଠନ ନେଇ ଆଲୋଚନା କରିପାରନ୍ତି । କିନ୍ତୁ ସେମିତି କିଛି ନହେବା ଏବେ ସେମାନଙ୍କୁ ଆଉଥରେ ଭାବିବାକୁ ବାଧ୍ୟ କରିଛି ।