ଖସୁଛି ପାରଦ ବଢୁଛି ଶୀତ ! କନ୍ଧମାଳରେ ୧୧ ଡିଗ୍ରୀ ତଳକୁ ଖସିଲା ପାରଦ, କୁହୁଡି ସାଙ୍ଗକୁ ଶୀତ ଲହରିରେ ଅସ୍ତବ୍ୟସ୍ତ ଜନଜୀବନ

57

କନକ ବ୍ୟୁରୋ : ପାରଦ ଖସିବା ସାଙ୍ଗକୁ ବଢୁଛି ଶୀତର ପ୍ରଭାବ । ଥଣ୍ଡା କାଲୁଆ ପବନରେ ଥରି ଯାଉଛି ଦେହ । ସକାଳୁ ସକାଳୁ କୁହୁଡିର ଆବରଣ ସାରା ସହରକୁ ଘୋଡାଇ ରଖୁଛି । ଅନେକ ସ୍ଥାନରେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି ଲୋକେ । ଫୁଲବାଣୀ ଓ ଦାରିଙ୍ଗିବାଡି ସମେତ କୋରାପୁଟରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଥଣ୍ଡା ସତ୍ୱେ ମନୋରମ ଦୃଶ୍ୟ ବି ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗୀ ଫୁଲରେ ସଜେଇ ହୋଇଛି ସହର ।

ଶୀତରେ ଥରୁଛି କନ୍ଧମାଳ । ପାରଦ ୧୧ ଡିଗ୍ରୀକୁ ଖସି ଆସିଥିବା ବେଳେ ଘନ କୁହୁଡି ପଡୁଛିା କୁହୁଡି ଓ ଥଣ୍ଡା ସକାଳ ୧୦ଟା ଯାଏଁ ରହୁଛି । ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗରମ ପୋଷାକ ପିନ୍ଧିବା ସହ ଲୋକେ ନିଆଁ ପୁଏଁଇ ଶୀତ ଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି । ପ୍ରବଳ ଶୀତ ଯୋଗୁଁ ଲୋକଙ୍କ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଶୀତର ପ୍ରକୋପ ବେଶ ରହିଛି କନ୍ଧମାଳର ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି ଓ ଦାରିଂବାଡିରେ । ଅନ୍ୟପଟେ ଶୀତ ପଡିବା ପରେ ପର୍ଯ୍ୟଟକମାନେ ଦାରିଂବାଡି ମୁହାଁ ହେଉଛନ୍ତି ।

ସେପଟେ କୋରପୁଟରେ ବି ଶୀତର ପହିଲି ପରଷ ପଡିଛି । କିଛି ଦିନର ଉଷ୍ମତା ପରେ ଆସିଛିି ଶୀତ । ଶୀତ କୁ ନେଇ ପରିବେଶ ହୋଇଛି ସବୁଜ ସୁନ୍ଦର । ପାହାଡ଼ି ବନାନୀ ଶୀତକକ କାକରର ଚାଦରରେ ଘୋଡ଼େଇ ହୋଇଥିବା ଦେଖିବାକୁ ମିଳୁଛି । ଏହି ପରିବେଶ କୁ ଉପଭୋଗ କରିବା ପାଇଁ ସକାଳୁ ସକାଳୁ ଜିଲ୍ଳା ବାସୀ ବ୍ୟାୟାମ କରିବା ସହ ଶୀତ ଦାଉରୁ ଉଷ୍ମତା ପାଇବା ପାଇଁ କିଏ ଚା ପିଉଛି ତ କିଏ ନିଆଁ ଜାଳି ମଜା ଉଠାଉଛନ୍ତି । ବିଭିନ୍ନ ପ୍ରଜାତିର ଫୁଲ ସାଙ୍ଗକୁ ମୁଖ୍ୟତ ଅଳସୀ ଫୁଲର ସୌନ୍ଦର୍ଯ୍ୟ ଆକର୍ଷଣ ପାଲଟିଛି । ସକାଳୁ ସକାଳୁ ଘନ କୁହୁଡି ପଡିବା ସହ ଥଣ୍ଡା ପବନ ମଧ୍ୟ ବହୁଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି କିଏ ନେଉଛି ଶୀତର ମଜା ତ କିଏ ପାଉଛି ଶୀତରୁ ମୁକ୍ତି ।