ନମୋଙ୍କୁ ଭେଟିଲେ, ନୂଆ ନାଁ ଦେଇ ଦାବି ଦୋହରାଇଲେ…

303

କନକ ବ୍ୟୁରୋ: କେନ୍ଦ୍ରକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ନିକଟରେ ଓଡିଶାକୁ ଫୋକସ ରାଜ୍ୟ ମାନ୍ୟତା ପାଇଁ ଦାବି କଲେ ନବୀନ ପଟ୍ଟନାୟକ । ପୁରୁଣା ଦାବିକୁ ନୂଆ ନାଁ ଦେଇ କେନ୍ଦ୍ର ଆଗରେ ଦୋହରାଇଲେ ନବୀନ । ତେବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପରିବର୍ତ୍ତ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।


କେନ୍ଦ୍ରୀୟ ସହାୟତା ୯୦: ୧୦ ଅନୁପାତରେ ଦେବାକୁ ନବୀନ କେନ୍ଦ୍ରକୁ ଦାବି କରିଛନ୍ତି । ଓଡିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କଲାଣି । ତେଣୁ ଫୋନି ପରେ ଓଡିଶାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏହି ମାନ୍ୟତା ଦେବାକୁ ନବୀନ ମୋଦିଙ୍କୁ କହିଛନ୍ତି । ଏହା ସହ ଖାଲି ଓଡିଶା ନୁହେଁ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହୁଥିବା ରାଜ୍ୟକୁ ମଧ୍ୟ ଏହି ମାନ୍ୟତା ଦିଆଯାଉ ବୋଲି ନବୀନ ଦାବି ଉତ୍ଥାପନ କରିଛନ୍ତି । ଏହା ସହ କୋଇଲା ରୟାଲିଟି ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।


ସେପଟେ ନିର୍ବାଚନୀ ଯୁଦ୍ଧରେ ପରସ୍ପରକୁ ଟାର୍ଗେଟ କରୁଥିବା ଦୁଇ ହେଭି ନେତା ଆଜି ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଛନ୍ତି । ନିର୍ବାଚନ ବେଳେ ଯେଉଁ ବାକଯୁଦ୍ଧ ଦେଖିବାକୁ ମିଳିଥିଲା ତାହା ଫୋନି ପରେ ମିଳେଇ ଯାଇଛି । ବିଭିନ୍ନ ପ୍ରସଙ୍ଗରେ ତୁତୁ ମେଁମେଁ ହେଉଥିବା ଉଭୟ କେନ୍ଦ୍ର-ରାଜ୍ୟ ବାତ୍ୟା ପରେ ପାଖାପାଖି ହୋଇଛନ୍ତି । ଆଉ ଯୁଦ୍ଧ ଜିତିବା ପରେ ଆଜି ଉଭୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ୫ହଜାର କୋଟି ଆର୍ଥିକ ସହାୟତା ସହ ଫୋନି ପ୍ରଭାବିତଙ୍କ ପାଇଁ ୫ ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ଦାବି କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ସହାୟତ ଶୀଘ୍ର ଯୋଗାଇ ଦେବାକୁ ଦାବି କରିଛନ୍ତି ।