କେରଳକୁ ଆଉ ୫ କୋଟିର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

47

କନକ ବ୍ୟୁରୋ: କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । କେବଳ ଏତିକି ନୁହେଁ ୮ କୋଟି ଟଙ୍କାର ୫ଶହ ମେଟ୍ରିକ ଟନ ଜରି ପାଲ କେରଳ ବନ୍ୟା ପ୍ରଭାବିତ ପରିବାରଙ୍କୁ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

ବନ୍ୟା ପ୍ରଭାବିତ କେରଳବାସିଙ୍କ ସହ ଓଡିଶା ସବୁବେଳେ ରହିଛି । ଏବଂ ଯେଉଁମାନେ ଏହି ପ୍ରଳୟଙ୍କାରୀ ବନ୍ୟାରେ ପ୍ରାଣ ହରାଇଛନ୍ତି ତାଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକୃତିର କରାଳ ରୂପ କ’ଣ କରିପାରେ ତାହା ପୂର୍ବରୁ ମଧ୍ୟ ଓଡିଶା ହୃଦଙ୍ଗମ କରିଛି ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି ।

ସୂଚନା ମୁତାବକ ଏଯାବତ୍ କେରଳ ବନ୍ୟାରେ ୩୫୦ରୁ ଉଦ୍ଧ୍ୱର୍ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଓଡିଶାରୁ ଓଡ୍ରାଫ ଟିମ୍ କେରଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ଏନଡିଏମଏ ଏବଂ ଦକ୍ଷିଣ ନୌସେନା ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ରାଜ୍ୟର ଅନେକ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି । ସେହିଭଳି ବନ୍ୟା ପ୍ରଭାବିତ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।