କଂଗ୍ରେସର କବାଡକିଳା ବୈଠକ ! ଅଦିନିଆ ଆଲୋଚନାରେ ବିଧାୟକ କହିଲେ ଆମେ ଅଛୁ ନରସିଂହଙ୍କ ପଛରେ

17

କନକ ବ୍ୟୁରୋ : ଓଡିଶା ବିଧାନସଭାରେ କଂଗ୍ରେସର କବାଟକିଳା ବୈଠକକୁ ନେଇ ଚର୍ଚା । ଚର୍ଚ୍ଚା ଏଇଥିପାଇଁ ଯେ, ଗୋଟିଏ ବିଧାନସଭା ଅଧିବେଶନ ପାଇଁ ଦୁଇ ଦୁଇଥର ବସିଛି ବିଧାୟକଦଳ ବୈଠକ । କଣ ପାଇଁ ଦ୍ୱିତୀୟ ବୈଠକର ଆବଶ୍ୟକତା ପଡିଲା ପ୍ରଶ୍ନ ଭିତରେ ଏକ ସଂକଳ୍ପ ପାରିତ କରିଛନ୍ତି କଂଗ୍ରେସ ବିଧାୟକ । ସମସ୍ତ ବିଧାୟକ ଏକାଠି ଅଛନ୍ତି ଓ ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ସେମାନଙ୍କ ବିଶ୍ୱାସ ରହିଥିବା କହିଛନ୍ତି । ଆଉ ଏପଟେ ପୁଣିଥରେ ଅସନ୍ତୁଷ୍ଟଙ୍କୁ ତୁରନ୍ତ ଦଳ ଛାଡିବା ପାଇଁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଯାହାକୁ ନେଇ ରୋଚକ ହୋଇଛି କଂଗ୍ରେସ ରାଜନୀତି ।

ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଆଜି କଂଗ୍ରେସର କବାଟ କିଳା ବୈଠକକୁ ନେଇ ଏଭଳି ଚର୍ଚ୍ଚା ଜୋର ଧରିଛି । କାରଣ ଅଧିବେଶନ ଆରମ୍ଭ ହେବାର ବହୁ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ଯେଉଁଠି ସଭ୍ୟ ମାନଙ୍କର ଗୃହ ଭିତରେ କଣ ଆଭିମୁଖ୍ୟ ରହିବ, କେଉଁ ପ୍ରସଙ୍ଗକୁ କିଭଳି ବିଧାନସଭାରେ ଉଠାଯିବ ଓ ସରକାରଙ୍କୁ ଉତରଦାୟୀ କରିଯିବ ସେନେଇ ରଣନୀତି ଚୂଡାନ୍ତ ହୋଇଥିଲା । ତେବେ ପୁଣିଥରେ କାହିଁକି ବିଧାୟକ ଦଳ ବୈଠକ କରିବାର ଆବଶ୍ୟକତା ପଡିଲା ତାକୁ ନେଇ ଚର୍ଚ୍ଚା ।

ବିଧାନସଭା ଚାଲିଥିବାବେଳେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ବସିଥିଲା ବିଧାୟକ ଦଳ ବୈଠକ । ୯ଜଣ ବିଧାୟକ ଏଆଇସିସିରୁ ବାଦ ପଡିବା ଓ ବିଜେପୁର ପରାଜୟ ପରେ ପୁଣିଥରେ ପିସିସି ନେତୃତ୍ୱ ପରିବର୍ତନ ନେଇ ଦାବି ଜୋର ଧରିଥିବାବେଳେ ଏଭଳି ଦ୍ୱିତୀୟ ବୈଠକ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

କଂଗ୍ରେସ ବିଧାୟକ ଦଳରେ ନିଆଯାଇଥିବା ସଂକଳ୍ପକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ଲେଖାଯାଇଛି ଯେ, ବିଧାନସଭାରେ ଆସୁଥିବା ସମସ୍ତ ମୁଲତବୀ ପ୍ରସ୍ତାବ ଓ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନାରେ ଗୃହରେ ଭାଗନେବ କଂଗ୍ରେସ । ଦ୍ୱିତୀୟରେ କେତେକ ଆଂଚଳିକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ କଂଗ୍ରେସ ବିଧାୟକମାନଙ୍କ ଭିତରେ କୌଣସି ମତଭେଦ ନାହିଁ । ସମସ୍ତ ବିଧାୟକ ଏକାଠି ଓ ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ସମସ୍ତଙ୍କର ବିଶ୍ୱାସ ରହିଛି ।
ପ୍ରଶ୍ନ ଉଠୁଛି…
– କଂଗ୍ରେସ ବିଧାୟକ ଏଭଳି ସଂକଳ୍ପ ପାରିତ କରିବାର କ’ଣ ଆବଶ୍ୟକତା ପଡିଲା?
– ଗଣମାଧ୍ୟମ ରିପୋର୍ଟ ପାଇଁ ଦ୍ୱିତୀୟ ବିଧାୟକ ଦଳ ବୈଠକ ଆବଶ୍ୟକ ପଡିଲା?
– ନା କଂଗ୍ରେସର ଏହି କବାଟ କିଳା ବୈଠକ ପଛରେ ଆଉକିଛି ଉଦ୍ଦେଶ୍ୟ ରହିଛି?

ଗୋଟିଏ ପଟେ ବୈଠକ କରି ବିଧାୟକ ମାନେ ଏକାଠି ଥିବର ସଂକେତ ଦେବା ଆଉ ଏପଟେ ବରିଷ୍ଠ ନେତା ସୁର ରାଉତରାୟ ପୁଣିଥିରେ ଅସନ୍ତୁଷ୍ଟଙ୍କ ଦଳ ଛାଡିବା ପାଇଁ ଆହ୍ୱାନ ଦେବା ଭିତରେ ନଜର ରହିଛି କଂଗ୍ରେସର ଗତି କେଉଁ ଆଡକୁ ମୁହାଁଉଛି ।